କଂଗ୍ରେସ ନିର୍ବାଚନ ଜିତିବା ଦୂରର କଥା, ଭବିଷ୍ୟତ ନେଇ ବି ପ୍ରଶ୍ନବାଚୀ: ସଲମାନ ଖୁର୍ଶୀଦ

ନୂଆଦିଲ୍ଲୀ: କଂଗ୍ରେସରେ ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବ ନେଇ ଦଳ ଭିତରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦଳର ବରିଷ୍ଠ ନେତା ସଲମାନ ଖୁର୍ଶୀଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖୁର୍ଶୀଦ ନିଜ ଦଳକୁ ସମାଲୋଚନା କରି କହିଛନ୍ତି, କଂଗ୍ରେସର ସ୍ଥିତି ଯେଉଁଭଳି ରହିଛି, ସେଥିରେ ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ ଜିତିବାର ସମ୍ଭାବନା ନାହିଁ। ନିର୍ବାଚନ ଜିତିବା ଦୂରର କଥା, ଦଳର ଭବିଷ୍ୟତକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଳ ସଂଘର୍ଷ ମଧ୍ୟରେ ଗତି କରୁଛି ଏବଂ ନିଜର ଭବିଷ୍ୟତ ମଧ୍ୟ ସ୍ଥିର କରିପାରିବ ନାହିଁ। ଆମର ସବୁଠାରୁ ବଡ଼ ସମସ୍ୟ ଏହା ଯେ, ଆମ ନେତା(ରାହୁଲ ଗାନ୍ଧୀ) ଆମକୁ ଛାଡ଼ି ଚାଲିଗଲେ। ସେ ଦଳର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରି କହିଛନ୍ତି, ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦଳର ସଙ୍କଟ ବଢ଼ାଇଛି। ତାଙ୍କର ଏହି ନିଷ୍ପତ୍ତି କାରଣରୁ ଦଳର ପରାଜୟ ପରେ ଆବଶ୍ୟକ ଆତ୍ମସମୀକ୍ଷା ବି କରିପାରିଲା ନାହିଁ। ନିର୍ବାଚନ କାହିଁକି ହାରିଲେ ତାହାର ବିଶ୍ଳେଷଣ ପାଇଁ ମଧ୍ୟ ଏକାଠି ହୋଇପାରିଲେ ନାହିଁ।

Comments are closed.