ଓଡ଼ିଶାବାସୀଙ୍କ ଦୁର୍ଦଶା ପାଇଁ କଂଗ୍ରେସ ଦାୟୀ:ଧର୍ମେନ୍ଦ୍ର

0

ଭୁବନେଶ୍ୱର:ସ୍ୱାଧୀନତାର ୭୦ବର୍ଷରୁ ଅଧିକ କାଳ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଶାସନ ଦାୟିତ୍ୱରେ ରହିଛି। ଦୀର୍ଘ ସମୟ ଧରି କଂଗ୍ରେସ ଶାସନଗାଦିରେ ଥିଲେ ମଧ୍ୟ ଓଡିଶାବାସୀ ଆଜି ଅବହେଳିତ। କାହିଁକି ଓଡ଼ିଶାବାସୀଙ୍କ ଏ ଅବସ୍ଥା ତା’ର ଉତ୍ତର କଂଗ୍ରେସ ପ୍ରଥମେ ଦେଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।
ଗୁରୁବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ କଂଗ୍ରେସ ଦଳ ଯେଉଁ ପ୍ରଶ୍ନ ପଚାରିଛି ସେଗୁଡିକର ରାଜ୍ୟ ଶାସନରେ ଥିବା ବିଜେଡିର ପ୍ରଶ୍ନ ସହ ମିଶିଯାଉଛ। ୨୦୧୨-୧୩ରେ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ବସାଯାଇଥିବା ରଘୁରାମ ରାଜନ କମିଶନଙ୍କ ରିପୋର୍ଟରେ ଓଡିଶାକୁ ଦେଶର ସବୁଠାରୁ ପଛୁଆ ରାଜ୍ୟ ଭାବେ ଆକଳନ କରାଯାଇଥିଲା। ଉପା ସରକାର କେନ୍ଦ୍ରରେ ଥିବା ବେଳେ ଓଡିଶା ସବୁଠାରୁ ପଛୁଆ ରାଜ୍ୟ ଥିଲା। ତାହା ପାଇଁ କିଏ କ୍ଷମା ମାଗିବ କଂଗ୍ରେସ ଦଳକୁ ଉତ୍ତର ଦେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ୨୦୦୪ରୁ ୨୦୧୪ କେନ୍ଦ୍ରରେ କଂଗ୍ରେସ ଦଳ ଶାସନ ଗାଦିରେ ଥିବା ବେଳେ ଛତିଶଗଡର ଯେଉଁ ପ୍ରକଳ୍ପ ଗୁଡିକ ପାଇଁ ବିବାଦ ତିଆରି ହୋଇଛି ତାହା କଂଗ୍ରେସ ସରକାର ଦେଇଥିଲା। ଏହାବାଦ୍‍ ପୋଲାଭରମ ପ୍ରକଳ୍ପକୁ ମଧ୍ୟ ପ୍ରୋତ୍ସାହନ ଦେଇଥିଲା। ଯଦି କଂଗ୍ରେସ କ୍ଷମା ମାଗିବା କଥା କହୁଛି ସେତେବେଳେ କେନ୍ଦ୍ରରେ ଓ ଆନ୍ଧ୍ରରେ କେଉଁ ସରକାର ଥିଲା ତାହା କଂଗ୍ରେସ ଦଳ ସ୍ପଷ୍ଟ କରୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ ଜଣେ ଯୋଗ୍ୟ ଓଡିଆଙ୍କ ବିରୋଧରେ କଂଗ୍ରେସ ମହାଭିଯୋଗ ପ୍ରସ୍ତାବ ଆଣିବା ବେଳେ କଂଗ୍ରେସ ନେତାଙ୍କ ଓଡିଆ ସ୍ୱାଭିମାନ କୁଆଡେ ଯାଇଥିଲା। ଯେଉଁମାନେ ଲମ୍ବା ସମୟ ଶାସନରେ ରହି ଓଡିଶାକୁ ତଳିତଳାନ୍ତ କଲେ, ଓଡିଶାର ଖଣିଖାଦାନକୁ ଲୁଟ୍‍ କରି ଧନୀ ହୋଇଥିବା ଲୋକମାନେ ବୁଢା ବାଘ କଙ୍କଣ ଉପାଖ୍ୟାନ ପରି ବୁଲୁଛନ୍ତି, ଓଡିଶାବାସୀ ତାହାକୁ ଭଲ ଭାବେ ବୁଝୁଛନ୍ତି । ଆଗାମୀ ଦିନରେ ଏହାର ଜବାବ ଓଡ଼ିଶାବାସୀ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply