ଦୀପାବଳି ପରେ ପିସିସି ପୁନର୍ଗଠନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷା ଭାବେ ଅନ୍ତରୀଣ ଦାୟିତ୍ୱ ଗ୍ରହଣ କରିବାପରେ ଓଡ଼ିଶାର ପିସିସି କମିଟି ସମେତ ଅନ୍ୟାନ୍ୟ ସମସ୍ତ କମିଟି ଭାଙ୍ଗି ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପୂର୍ବପରି ଓଡ଼ିଶା ଦାୟିତ୍ୱ ନିର୍ବାହ କରିବାକୁ କହିଥିଲେ। ଇତିମଧ୍ୟରେ ତିନିମାସ ଅତିକ୍ରାନ୍ତ ହୋଇଥିବାବେଳେ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରାୟାସ ଆରମ୍ଭ ହୋଇଛି। ଏଆଇସିସି ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ରାଜ୍ୟ କଂଗ୍ରେସ ସଭାପତି ଭାବେ ଶ୍ରୀ ପଟ୍ଟନାୟକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡିବାକୁ ପିସିସି ଆଗଭର ହୋଇଛି। ଆସନ୍ତା ଦୀପାବଳି ପରେ ପିସିସି ପୁନର୍ଗଠନ ନେଇ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୃହତ କମିଟି ନକରି ଛୋଟିଆ କମିଟି ଗଠନ କରାଯିବ। ଏହି କମିଟିରେ ଯୁବ ଓ ମହିଳାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଅକ୍ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ରହି ଓଡ଼ିଶା ସଂଗଠନକୁ କିଭଳି ଆଗକୁ ଯିବ ସେଥିପାଇଁ ଦଳର ନେତା ଓ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ନୂତନ ଯୁବପିଢିଙ୍କୁ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଇବାକୁ କଂଗ୍ରେସ ଦଳ ଆଗାମୀ ଦିନରେ ନିର୍ଦିଷ୍ଟ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀଙ୍କ ସହିତ ବିଚାର ଓ ସେମାନଙ୍କ ପରାମର୍ଶକୁ କଂଗ୍ରେସ ପାଥେୟ କରି ଦଳ ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଅକ୍ଟୋବର ଶେଷସୁଦ୍ଧା ପ୍ରଶିକ୍ଷଣ ସଂଯୋଜକ ଓ ପ୍ରେରକ ମାନଙ୍କର ନାମ ଚୂଡାନ୍ତ ତାଲିକା ପ୍ରସ୍ତୁତ ଚାଲିଛି। ଏ ନେଇ ରାଜ୍ୟ ସଂଯୋଜକ ଭାବେ ଶୁଭେନ୍ଦୁ ମହାନ୍ତିଙ୍କୁ ପ୍ରଶିକ୍ଷଣ ଦାୟିତ୍ୱ ଅର୍ପଣ କରାଯାଇଛି। ସମଗ୍ର ରାଜ୍ୟକୁ ୭ଟି ଜୋନ୍‍ରେ ବିଭକ୍ତ କରାଯାଇ ତିନିଦିନିଆ ଆବାସିକ ଶିବିର ଗୁଡ଼ିକର ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ପ୍ରଦେଶର ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତ କମିଟିକୁ ବାତିଲ୍‍ କରାଯାଇଥିଲା।
ଖୁବ୍‍ଶୀଘ୍ର ତୃଣମୂଳ ସ୍ତରରୁ ଆରମ୍ଭ କରି ପ୍ରାଦେଶିକ କମିଟିର ପୁନର୍ଗଠନ କରାଯାଇ ଦଳକୁ ଲୋକାଭିମୁଖୀ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଓ ପାଟକୁରା ଉପନିର୍ବାଚନରେ ଦଳ ଅମାନତ ହରାଇଥିଲା। ବିଜେପୁର ଉପ ନିର୍ବାଚନରେ ଦଳକୁ ସେତେଟା ସଫଳତା ମିଳିବ ନାହିଁ ବୋଲି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରାପ୍ରସାଦ ବାହିନୀପତି ଆଗୁଆ କହିଥିବାରୁ ପିସିସି ସଭାପତି ଚିନ୍ତାରେ ରହିଛନ୍ତି। ଏଭଳି ସ୍ଥିତିରେ ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡି ଆଗକୁ ନେବା ତାଙ୍କ ପାଇଁ ଆହ୍ୱାନ ହୋଇଛି।

Comments are closed.