ଏସପିଙ୍କ ଅଡ଼ୁଆ ବଢ଼ିଲା, ଅଦାଲତରେ ଦାଏର ହେଲା ମୋକଦ୍ଦମା

ସୁନ୍ଦରଗଡ଼ : କନିକା ପ୍ରସଙ୍ଗ ଥମିବାର ନାଁ ନେଉ ନାହିଁ । ଅଭିଯୁକ୍ତମାନେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଚାପା ଅସନ୍ତୋଷ ଲାଗିରହିଛି । ହେଲେ ଜିଲା ପୁଲିସର ନିର୍ଦେଶକ୍ରମେ ପୁଲିସ ବଳ ସମଗ୍ର ଅଞ୍ଚଳପ୍ରତି ସତର୍କ ଦୃଷ୍ଟି ରଖିଥିବାର ଜଣାପଡ଼ିଛି । ଘଟଣାକ୍ରମରେ ଗୁରୁବାର ହେମଗିର ଅଞ୍ଚଳର ବରିଷ୍ଠ ନାଗରିକ ଦିଲୀପ ପଟ୍ଟନାୟକ(୬୫) ସ୍ଥାନୀୟ ଅନୁବିଭାଗୀୟ ଦଣ୍ଡାଧିକାରୀ(ଏସ.ଡ଼ି.ଜେ.ଏମ)ଙ୍କ ଅଦାଲତରେ ଏକ କମ୍ପେ୍ଲନ କେସ ନଂ-ଆଇ.ସି.ସି ୬୫/୨୦୧୯ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୧୬୬, ୧୬୭, ୩୪୨, ୫୦୩, ୫୦୪ ଦଫାରେ ସୁନ୍ଦରଗଡ଼ ଏସପିଙ୍କ ବିରୁଦ୍ଧରେ ମୋକଦ୍ଦମା ଦାଏର କରିଥିବାର ଜଣାପଡ଼ିଛି ।

ଦାଏର ମୋକଦ୍ଦମାର ବିବରଣୀରୁ ପ୍ରକାଶ, ଗତ ୪ ତାରିଖ ରାତ୍ରି ସାଢ଼େ୧୨ଟା ବେଳେ ସୁନ୍ଦରଗଡ଼ ଏସ.ପି ଓ ୪୦ ରୁ ୫୦ ସଶସ୍ତ୍ର ପୁଲିସ ତାଙ୍କ ଘର କବାଟ ବାଢ଼େଇବା ସହ ଜବରଦସ୍ତି ପ୍ରବେଶ କରି ପଟ୍ଟନାୟକକୁ ମାଡ଼ ମାରିବା ସହ ତାଙ୍କ ପତ୍ନୀଙ୍କୁ ବିଧବା କରିଦେବେ ବୋଲି କୁଆଡ଼େ ଧମକ ଦେବା ସହ ଅନ୍ୟାନ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଏହାପରେ ଝରକାର କାଚ ଓ ତାଙ୍କ ବଲେରୋ ଗାଡ଼ିର କାଚ ମଧ୍ୟ ଭଙ୍ଗାରୁଜା କରିଥିଲେ । ପରେ ଗାଡ଼ିରେ ବସାଇ କନିକା ବିଟ ହାଉସକୁ ​ ନେଇଯାଇଥିଲେ । ସେଠାରେ ପିଙ୍କୁ ମିଶ୍ରଙ୍କୁ ମଧ୍ୟ ଆଣ୍ଠେଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଦେଖିଲେ । ଜଣେ ହୃଦୟହିନା ପଦସ୍ଥ ଅଧିକାରୀଙ୍କ ନିର୍ଯାତନା ଓ ଆଚରଣରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ପରିବାର ମାନସିକସ୍ତରରେ ଭାଙ୍ଗି ପଡ଼ିଥିବାର ଅଭିଯୋଗ କରିଛନ୍ତି । ଗତ ୫.୭.୨୦୧୯ ଦିନ ଅଦାଲତ ପରିସରରୁ ସାଧା ପୋଷାକରେ କିଛି ପୁଲିସ କର୍ମଚାରୀ କୁଆଡ଼େ ତାଙ୍କ ପୁଅକୁ ଜବରଦସ୍ତ ଟେକି ନେଇ ସଦର ଥାନାକୁ ନେଇ ସେଠାରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ କୋର୍ଟକୁ ଚାଲାଣ କରିଦେଇଥିଲେ । ଏ ସଂପର୍କରେ ଶ୍ରୀ ପଟ୍ଟନାୟକ ହେମଗିର ଥାନାକୁ ଏତଲା ଦେବାକୁ ଯାଇଥିଲେ ହିଁ ପୁଲିସ କୁଆଡ଼େ ତାଙ୍କ ଏତଲା ଗ୍ରହଣ କରି ନଥିବାରୁ ସେ ବାଧ୍ୟ ହୋଇ ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ବୋଲି ତାଙ୍କ ଓକିଲ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି । ଏ ସଂପର୍କରେ ମତାମତ ନେବା ପାଇଁ ଏସ.ପିଙ୍କୁ ଯୋଗାଯୋଗ କରାଯିବାରୁ ସେ କିମ୍ବା ପୁଲିସ ବଳ କୌଣସି ପ୍ରକାର ବେଆଇନ କାମ କରି ନାହାନ୍ତି ଓ ଭିଡ଼ିଓ ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।

Comments are closed.