ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ

ପିପିଲି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଂନ୍ଧ୍ୟାରେ ପିପିଲିରେ ରୋଡ଼ସୋ କରି ନିର୍ବାଚନ ପ୍ରଚାର କରିଥିଲେ। ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳାମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡ଼ରେ ଧାଡିବାନ୍ଧି ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଘଣ୍ଟବାଦ୍ୟ ଓ ବାଜାରେ ରାଜପଥ କମ୍ପି ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଫୁଲ ପକାଇ ହୁଳହୁଳି ଦେଇ ମହିଳାମାନେ ତାଙ୍କୁ ଭରପୁର ସ୍ୱାଗତ କରିଥିଲେ।
ପୁରୀ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ହାଇଟେକ୍‍ ବସରେ ସତ୍ୟବାଦୀ ଦେଇ ପିପିଲି ଅଭିମୁଖେ ଆସିଥିଲେ। ସାତଶଙ୍ଖ ବଜାର, ତେଇସିପୁର, ମଧୁବନ ଛକ, ମଙ୍ଗଳପୁର, ଦାଣ୍ଡମୁକୁନ୍ଦପୁର, ହାଟଛକ, ପିପିଲି ମୁଖ୍ୟବଜାର, ଚାନ୍ଦୁଆବଜାର, ବିଜେଡି କାର୍ଯ୍ୟାଳୟ, ଜଇସିପାଟଣା ବଜାର, ସିଉଳା ଛକ, ଗୁଡିଆପୋଖରୀ ବଜାର, ଉତ୍ତରାବଜାର ଆଦି ସ୍ଥାନରେ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ବିଜେଡି କର୍ମୀ ଓ ସମର୍ଥକମାନେ ରାସ୍ତା କଡରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ଼ସୋ ସମୟରେ ଘଣ୍ଟବାଦ୍ୟ ସାଙ୍ଗକୁ ମହିଳା ଓ ଯୁବତୀଙ୍କ ହୁଳହୁଳି ଶବ୍ଦରେ ସମସ୍ତ ଛକବଜାର ଅଞ୍ଚଳ କମ୍ପି ଉଠିଥିଲା। ସ୍ଥାନୀୟ ବିଧାୟକ ତଥା ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରୋଡ଼ସୋ ସାମିଲ ହୋଇଥିଲେ।

Comments are closed.