ସିଟିବସ୍‍ ଚାଳକଙ୍କ ଗତିବିଧି ଉପରେ ନଜର

0

ଭୁବନେଶ୍ୱର  : ସହିଦନଗରସ୍ଥିତ ଭବାନୀ ମଲ୍‍ରେ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ସ୍ମାର୍ଟସିଟି ସେଣ୍ଟ୍ରାଲାଇଜ୍‍ଡ କମାଣ୍ଡ କଣ୍ଟ୍ରୋଲ୍‍ ସେଣ୍ଟର (ସିସିସିସି)। ସହରର ଟ୍ରାଫିକ୍‍ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ଉପରେ ନଜର ରଖିବ। ତେବେ ଏହି ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷରେ ବସି କର୍ମଚାରୀ ସହରର ସମସ୍ତ ସିଟିବସ୍‍ ଏବଂ ଏହାର ଚାଳକଙ୍କ ଉପରେ ତୀକ୍ଷ୍ଣ ନଜର ରଖି ପାରିବେ। ସ୍ମାର୍ଟସିଟି ମିଶନ୍‍ରେ ଚାଲିବାକୁ ଥିବା ୨୦୦ ନୂଆ ବସ୍‍ ଏବଂ ଏହାର ଚାଳକ ସିସିଟିଭି ଓ ଜିପିଏସ୍‍ ସ୍କାନର୍‍ରେ ରହିବେ। ଏପିରିକି ନିୟନ୍ତ୍ରଣ କକ୍ଷରେ ବସି କର୍ମଚାରୀ ସିଧାସଳଖ ବସ୍‍ ଚାଳକଙ୍କୁ ଆବଶ୍ୟକ ନିର୍ଦେଶ ଦେଇ ପାରିବେ। ଏଥିପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‍ ହକି ପୂର୍ବରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
ସ୍ମାର୍ଟସିଟି ମିଶନ୍‍ରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼(ବିଏସ୍‍ସିଏଲ୍‍) ୨୦୦ ନୂଆ ବସ୍‍ କିଣିବାକୁ ଯାଉଛି। ଚଳିତ ବର୍ଷ ନଭେମ୍ବର ମାସରେ ବିଶ୍ୱକପ୍‍ ହକି ପୂର୍ବରୁ ବସ୍‍ କିଣା କାମ ସରିଯିବ। ଏହାର ପରିଚାଳନା ପାଇଁ ଦୁଇଟି ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆସରିଛି। ତେବେ ବସ୍‍ ଚାଳକଙ୍କ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣା ସମ୍ଭାବନା ଦୂର ପାଇଁ ନିୟନ୍ତ୍ରଣ କକ୍ଷକୁ ସକ୍ଷମ କରାଯାଇଛି। ବିଏସ୍‍ସିଏଲ୍‍ର ଜଣେ ଅଧିକାରୀ କହିଛନ୍ତି, ସ୍ମାର୍ଟସିଟି ମିଶନ୍‍ରେ ଚାଲିବାକୁ ଥିବା ସମସ୍ତ ସିଟିବସ୍‍ରେ ସିସିଟିଭି କ୍ୟାମେରା ସହିତ ଜିପିଏସ୍‍ ଲାଗିବ। ବସ୍‍ ଚାଲୁଥିବା ସମୟରେ ବି ଏହି କ୍ୟାମେରା ଜରିଆରେ ନିୟନ୍ତ୍ରଣ କକ୍ଷରେ ବସିଥିବା କର୍ମଚାରୀ ସବୁ ଦୃଶ୍ୟ ଦେଖି ପାରିବେ। ଯଦି ବସ୍‍ ଚାଳକ ଅନୁମତିଠାରୁ ଅଧିକ ବେଗରେ ଗାଡ଼ି ଚଲାନ୍ତି, ଆବଶ୍ୟକତାଠାରୁ କମ୍‍ ବେଗରେ ଗାଡ଼ି ଚଳାଉଥାନ୍ତି, ଟ୍ରାଫିକ୍‍ ସିଗ୍‍ନାଲ ମାନୁଛନ୍ତି କି ନାହିଁ କିମ୍ବା ଅନ୍ୟ କୌଣସିପ୍ରକାର ଅବହେଳା କରନ୍ତି ତେବେ ତାହା ନିୟନ୍ତ୍ରଣ କକ୍ଷରେ ଜଣାପଡ଼ିବ। ସେହିପରି ସହରରେ ନୂଆକରି ୨୦୦ ବସ୍‍ଷ୍ଟାପ୍‍ ନିର୍ମାଣ ଯୋଜନା ରହିଛି। ତେଣୁ ବସ୍‍ ଚାଳକ ତାଙ୍କ ରୁଟ୍‍ରେ ଥିବା ବସ୍‍ଷ୍ଟପ୍‍ରେ ବସ୍‍ ଛିଡ଼ା କରୁଛନ୍ତି କିମ୍ବା ଅନ୍ୟ କୌଣସି ସ୍ଥାନରେ ଛିଡ଼ା କରୁଛନ୍ତି ତାହା ଜିପିଏସ୍‍ ସହାୟତାରେ ଜାଣି ପାରିବ। ଏପରି କୌଣସି ଅବହେଳା ହେଲେ ନିୟନ୍ତ୍ରଣ କକ୍ଷରୁ ବସି ସିଧାସଳଖ ବସ୍‍ ଚାଳକଙ୍କୁ ଠିକ୍‍ ଭାବେ ଗାଡ଼ି ଚଳାଇବା ପାଇଁ ତାଗିଦ୍‍ କରିହେବ। ଏପରି ବ୍ୟବସ୍ଥା ଦ୍ୱାରା ନା କେବଳ ଯାତ୍ରୀ ଓ ସଡ଼କ ସୁରକ୍ଷା ସୁନିଶ୍ଚିତ କରିହେବ ବରଂ ବସ୍‍ ଚଳାଚଳରେ ସମୟାନୁବର୍ତ୍ତିତା ଆସି ପାରିବ। ସହରର ସମସ୍ତ ଟ୍ରାଫିକ୍‍ ପୋଷ୍ଟକୁ କମାଣ୍ଡ କଣ୍ଟ୍ରୋଲ୍‍ ସେଣ୍ଟର ସହିତ ଯୋଡ଼ା ଯାଇଥିବା ବେଳେ ସିଟିବସ୍‍ଗୁଡ଼ିକୁ ଏଥିରେ ଯୋଡ଼ିବା ବ୍ୟବସ୍ଥା ହୋଇଛି।

Leave A Reply