ଅଶାନ୍ତ ଆସାମ – ପ୍ରଭାବହୀନ ମୋଦୀଙ୍କ ବାର୍ତ୍ତା – ଗୌହାଟିରେ ୨ ମୃତ

ଆସାମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରସା ଯୋଗ୍ୟ ବାର୍ତ୍ତା ହେଉ କି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‍ଙ୍କ ଆହ୍ୱାନ, ସବୁ ବିଫଳ ହୋଇଛି ଆସାମରେ। ପୁଲିସ ଗୁଳିରେ ୨ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାତ୍ରିକାଳୀନ ସାନ୍ଧ୍ୟ ଆଇନ୍‍କୁ ଖାତିର ନ କରି ହଜାର ହଜାର ପ୍ରଦର୍ଶନକାରୀ ଏବେ ମଧ୍ୟ ରାସ୍ତାଘାଟରେ ଏକତ୍ରିତ ହୋଇ ସଦ୍ୟ ଲୋକସଭା ଓ ରାଜ୍ୟସଭାରେ ଅନୁମୋଦିତ ହୋଇଥିବା ନାଗରିକତା ସଂଶୋଧନ ବିଧେୟକ ୨୦୨୯କୁ ବିରୋଧ କରୁଛନ୍ତି। ଆସାମ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିଜର ପ୍ରତିଶୃତିବଦ୍ଧତା ଦୋହରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।।।।।।

ନାଗରିକ ସଂଶୋଧନ ବିଲ୍‍କୁ ନେଇ ଲୋକମାନେ ବିବ୍ରତ ହେବା ଉଚିତ୍‍ ନୁହଁ ବୋଲି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‍ କହିଛନ୍ତି। ସେ କହିଛନ୍ତି, ଆସାମ ଚୁକ୍ତିକୁ ଲାଗୁ କରାଯାଇ ଆସାମର ସାଂସ୍କୃତିକ, ଭାଷାଗତ ଓ ରାଜନୈତିକ ଅଧିକାର ଏବଂ ଜମିଜମା ଅଧିକାରର ସୁରକ୍ଷା କରାଯିବ। ସେ କହିଛନ୍ତି, ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଆସାମ ଚୁକ୍ତିର ଷଷ୍ଠ ଧାରାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିସାରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଗରିକ ସଂଶୋଧନ ବିଲ୍‍ ନାମରେ କିଛି ଲୋକ ଅପପ୍ରଚାର ଚଳାଇଛନ୍ତି।

ସାନ୍ଧ୍ୟ ଆଇନ୍‍କୁ ଲଙ୍ଘନ କରି ଶହ ଶହ ଲୋକ ଗୌହାଟୀର ଲତାସିଲ୍‍ଠାରେ ଅଖିଳ ଆସାମ ଛାତ୍ରସଂଘ ନେତୃତ୍ୱରେ ଏକତ୍ରିତ ହୋଇଛନ୍ତି। ଗୌହାଟୀ ସହର ଓ ଦିବ୍ରୁଗଡ଼ରେ ଅନିର୍ଦ୍ଦିଷ୍ଟକାଳୀନ ସାନ୍ଧ୍ୟ ଆଇନ୍‍ ଲାଗୁହୋଇଥିବା ବେଳେ ଜୋରହଟରେ ରାତ୍ରିକାଳୀନ ସାନ୍ଧ୍ୟ ଆଇନ୍‍ ଲାଗୁ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଟ୍ରେନ୍‍ ସେବା ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ବିଜେପି କର୍ମମାନଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। କିଛି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ସେନାବାହିନୀ ଓ ଆସାମ ରାଇଫଲସ୍‍ ଯବାନମାନଙ୍କୁ ଗୌହାଟି, ଦିବ୍ରୁଗଡ଼, ମୋରିଗାଓଁ ଓ ତେଜପୁରଠାରେ ମୁତୟନ କରାଯାଇଛି।

Comments are closed.