ରାଜ୍ୟସଭା ସହ ସଂସଦର ଅନୁମୋଦନ ଲାଭ କଲା ନାଗରିକତା ସଂଶୋଧନ ବିଧେୟକ : ସପକ୍ଷରେ ୧୨୫, ବିପକ୍ଷରେ ୧୦୫

ନୂଆଦିଲ୍ଲୀ : ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ପରେ ଐତିହାସିକ ନାଗରିକତା ସଂଶୋଧନ ବିଧେୟକ – ୨୦୧୯ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ବହୁ ବାଦବିବାଦ ମଧ୍ୟରେ ସୋମବାର ଲୋକସଭାରେ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଥିଲେ। ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବାବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି। ତେବେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ।

ପ୍ରଥମେ ବିଧେୟକ ସପକ୍ଷରେ ୧୧୭ ଭୋଟ ଓ ବିପକ୍ଷରେ ୯୨ ଖଣ୍ଡ ଭୋଟ ପଡ଼ିଥିଲା। ତେବେ କିଛି ସଦସ୍ୟ ସେମାନଙ୍କ ଭୋଟ ପଞ୍ଜିକୃତ ହୋଇ ନଥିବା ଅଭିଯୋଗ କରିଥିଲେ। ଏହାପରେ ପୁଣିଥରେ ଚିଟ୍‌ ବଣ୍ଟା ଯାଇଥିଲା। ଶେଷରେ ବିଧେୟକ ସପକ୍ଷରେ ୧୨୫ ଓ ବିପକ୍ଷରେ ୧୦୫ ଖଣ୍ଡ ଭୋଟ ପଡ଼ିଥିବା ଜଣାପଡ଼ିଥିଲା।

ନାଗରିକତା ସଂଶୋଧନ ବିଧେୟକ କ’ଣ?
ନାଗରିକତା ସଂଶୋଧନ ବିଧେୟକରେ ନାଗରିକତା ଆଇନ୍‌ ୧୯୫୫ରେ କିଛି ସଂଶୋଧନର ପ୍ରସ୍ତାବ ରହିଛି । ଏଥିରେ ଆଫଗାନିସ୍ଥାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିଆନ୍‌ ଧର୍ମର ଶରଣାର୍ଥୀଙ୍କ ପାଇଁ ନାଗରିକତାର ନିୟମ ସରଳ କରିବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିଙ୍କୁ ଭାରତର ନାଗରିକତା ହାସଲ ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥା ଅନୁସାରେ ଉକ୍ତ ବ୍ୟକ୍ତି ଅତିକମ୍‌ରେ ବିଗତ ୧୧ବର୍ଷ ଧରି ଭାରତରେ ରହିଥିବା ବାଧ୍ୟତାମୂଳକ । ଏହି ନିୟମକୁ ସହଜ କରିବାକୁ ଯାଇ ସରକାର ନାଗରିକତା ହାସଲ ପାଇଁ ଅବଧିକୁ ଏକ ବର୍ଷରୁ ୬ ବର୍ଷ କରିବାର ପ୍ରସ୍ତାବ ରହିଛି । ଅର୍ଥାତ୍‌ ଏହି ତିନି ଦେଶର ୬ଟି ଧର୍ମର ଲୋକେ ଯେଉଁମାନେ ଏକ ବର୍ଷରୁ ୬ ବର୍ଷ ଧରି ଭାରତରେ ରହିଆସୁଛନ୍ତି ଏହି ବିଧେୟକ ଗୃହିତ ହେବା ପରେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ ।

Comments are closed.