ଗେଲ୍‌ଙ୍କ ଆନ୍ତର୍ଜାତିକ କ୍ରିକେଟ ଜୀବନ ଶେଷ !

ପୋର୍ଟ ଅଫ୍ ସ୍ପେନ୍ : କ୍ରିକେଟ ଦୁନିଆର ଅନ୍ୟତମ ଖ୍ୟାତନାମା ବ୍ୟକ୍ତିତ୍ବ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ବୋଧହୁଏ ଜୀବନର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଏଠାରେ ଭାରତ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ୍‌ରେ ଏକ ବିସ୍ଫୋରକ ଇନିଂସ ଖେଳି ଆଉଟ ହେବା ପରେ ଗେଲ୍‌ ଯେପରି ଭାବେ ଦର୍ଶକଙ୍କଠାରୁ ବିଦାୟ ନେଇଥିଲେ ଏବଂ ଭାରତୀୟ ଖେଳାଳି ତାଙ୍କୁ ବିଦାୟ ଜଣାଇଥିଲେ; ସେହିଥିରୁ ମନେହେଉଛି ଯେ ଗେଲ୍‌ ଆଉ ଆନ୍ତର୍ଜାତିକ କ୍ରିକେଟ ଖେଳିବେନାହିଁ। ଗେଲ୍‌ ଆଉଟ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ଇନିଂସରେ ଗେଲ୍ ସ୍ବଭାବ ଅନୁସାରେ ଆକ୍ରମଣାତ୍ମକ ବ୍ୟାଟିଂକରି ମାତ୍ର ୪୧ ବଲ୍‌ରୁ ୫ଟି ଛକା ଓ ୮ଟି ଚୌକା ସହ ୭୨ ରନ୍‌ କରିଥିଲେ। ଗେଲ୍‌ ମୋଟ ୩୦୧ଟି ଦିନିକିଆରୁ ୨୫ଟି ଶତକ ଓ ୫୪ଟି ଅର୍ଦ୍ଧଶତକ ସହ ୧୦,୪୮୦ ରନ୍ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ପାଇଁ ଗେଲ୍‌ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳି ସର୍ବାଧିକ ଦିନିକିଆ ରନ୍ କରିଛନ୍ତି। ୧୦୩ଟି ଟେଷ୍ଟମ୍ୟାଚ୍‌ରୁ ଗେଲ୍‌ ୧୫ଟି ଶତକ ସହ ୭୨୧୪ ରନ୍ କରିଛନ୍ତି। ୫୮ଟି ଟି୨୦ରୁ ଗେଲ୍‌ ୨ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୧୬୨୭ ରନ୍ କରିଛନ୍ତି।

Comments are closed.