ବିଶ୍ବକପ୍ ପରେ ଦିନିକିଆରୁ ଗେଲ୍‌ଙ୍କ ଅବସର

0

କିଙ୍ଗ୍‌ଷ୍ଟନ : ୱେଷ୍ଟଇଣ୍ଡିଜ୍‌ର ବରିଷ୍ଠ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍ ଘୋଷଣା କରିଛନ୍ତି ଯେ ଆସନ୍ତା ବିଶ୍ବକପ୍ ପରେ ସେ ଆଉ ଦିନିକିଆ କ୍ରିକେଟ ଖେଳିବେନାହିଁ। ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ରବିବାର ଏହି ଘୋଷଣା କରିଛି। ୩୯ ବର୍ଷ ବୟସ୍କ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍ ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌ର ୨ୟ ସଫଳତମ ଦିନିକିଆ ବ୍ୟାଟ୍‌ସମ୍ୟାନ। ଇଂଲଣ୍ଡରେ ହେବାକୁ ଥିବା ବିଶ୍ବକପ୍ ପରେ ​‌େ​‌ସ ୱେଷ୍ଟଇଣ୍ଡିଜ୍ ପାଇଁ ଟ୍ବେଣ୍ଟି୨୦ କ୍ରିକେଟ ସହ ସାରାବିଶ୍ବରେ ବିଭିନ୍ନ ପେସାଦାର ଟି୨୦ ଲିଗ୍‌ରେ ଖେଳିବା ଜାରିରଖିବେ ବୋଲି ଗେଲ୍ କହିଛନ୍ତି।
ବହୁତଦିନ ପରେ ଗେଲ୍ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍‌ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ବିଶ୍ବକପ୍ ଲାଗି ପ୍ରସ୍ତୁତ ହେବା ପାଇଁ ଗେଲ୍ ଦିନିକିଆ ଦଳକୁ ଫେରିଛନ୍ତି। ​‌ଜାମାଇକାର ବାମହାତି ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍ ଗତ ୨୦ ବର୍ଷ ହେଲା ୱେଷ୍ଟଇଣ୍ଡିଜ୍‌ ପାଇଁ ଖେଳୁଛନ୍ତି। ୧୯୯୯ରେ ଦିନିକିଆ କ୍ରିକେଟରେ ପଦାର୍ପଣ ପରେ କ୍ରିସ୍ ଗେଲ୍ ଅଦ୍ୟାବଧି ୨୮୪ଟି ଦିନିକିଆ ମ୍ୟାଚ୍ ଖେଳି ୪୯ଟି ଅର୍ଦ୍ଧଶତକ ଓ ୨୩ଟି ଶତକ ସହ ମୋଟ ୯୭୨୭ ରନ୍ ସ୍କୋର୍ କରିଛନ୍ତି। ତାଙ୍କର ୨୩ଟି ଦିନିକିଆ ଶତକ ୱେଷ୍ଟଇଣ୍ଡିଜ୍‌ ପାଇଁ ଏକ ରେକର୍ଡ। ପୁଣି ବ୍ରାୟାନ୍ ଲାରାଙ୍କ ୧୦,୪୦୫ ପରେ ଗେଲ୍‌ଙ୍କ ୯୭୨୭ ରନ୍ ୱେଷ୍ଟଇଣ୍ଡିଜ୍‌ ପାଇଁ ଦିନିକିଆରେ ୨ୟ ସର୍ବାଧିକ। ଗେଲ୍‌ଙ୍କ ସର୍ବାଧିକ ଦିନିକିଆ ସ୍କୋର୍ ହେଉଛି ୨୧୫ ରନ୍; ଯାହା ସେ ୨୦୧୫ ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷରେ ସ୍କୋର୍ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ପାଇଁ ଏହା ସର୍ବାଧିକ ଦିନିକିଆ ବ୍ୟକ୍ତିଗତ ସ୍କୋର୍। ଦିନିକିଆ କ୍ରିକେଟ୍‌ରେ ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ବିଜେତାର ମର୍ଯ୍ୟାଦା କ୍ରିସ୍ ଗେଲ୍‌ଙ୍କୁ ମିଳିଛି। ଦିନିକିଆରେ ୨୭୫ଟି ଛକା ଏହାର ପ୍ରମାଣ। ତାଙ୍କ ଦିନିକିଆ ବ୍ୟାଟିଂ ଆଭ୍‌ରେଜ୍ ହେଉଛି ୩୭.୧୨। ପୁଣି ତାଙ୍କ ଉପଯୋଗୀ ଅଫ୍‌ସ୍ପିନ୍ ଜରିଆରେ ଗେଲ୍ ଦିନିକିଆରେ ମୋଟ ୧୬୫ଟି ୱିକେଟ ନେଇଛନ୍ତି। ୨୦୦୦ରେ ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଥିବା କ୍ରିସ୍ ଗେଲ୍ ୧୦୩ଟି ଟେଷ୍ଟମ୍ୟାଚ୍ ଖେଳି ୩୭ଟି ଅର୍ଦ୍ଧଶତକ ଓ ୧୫ଟି ଶତକ ସହ ମୋଟ ୭୨୧୪ ରନ୍ କରିଛନ୍ତି। ତାଙ୍କ ଟେଷ୍ଟ ବ୍ୟାଟିଂ ଆଭ୍‌ରେଜ୍ ହେଲା ୪୨.୧୮। ଗେଲ୍ ୭୩ଟି ଟେଷ୍ଟ ୱିକେଟ ନେଇଛନ୍ତି। ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଗେଲ୍‌ଙ୍କୁ ସାରାବିଶ୍ବର ବସ୍ ବୋଲି କୁହାଯାଏ। ୱେଷ୍ଟଇଣ୍ଡିଜ୍ ପାଇଁ ୫୬ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରୁ ଗେଲ୍ ୧୬୦୭ ରନ୍ କରିଛନ୍ତି। ସମସ୍ତ ପ୍ରକାର ଟ୍ବେଣ୍ଟି୨୦ରେ ଗେଲ୍ ୭୬ଟି ଅର୍ଦ୍ଧଶତକ ଓ ୨୧ଟି ଶତକ ସହ ୧୨୨୯୮ ରନ୍ କରିଛନ୍ତି।

Leave A Reply