ଚୌଦ୍ୱାର ଜେଲ୍‌ରେ ସୁରକ୍ଷା ନେଇ ପ୍ରଶ୍ନବାଚୀ

0

ଶାଳଗାଁ: ଚୌଦ୍ୱାର ମଣ୍ଡଳ କାରାଗାରରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜେଲରେ ସ୍ଥାନାଭାବ ସତ୍ତ୍ବେ ୯୪୭ପୁରୁଷ ଓ ୩୩ଜଣ ମହିଳା ଅତି ଦୟନୀୟଭାବେ ରହୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଜେଲକୁ ଅବାଧ ମାଦକଦ୍ରବ କାରବାର ହେଉଛି। ଏପରି ଅଭିଯୋଗ ବାହାରୁ ଆସିନାହିଁ ବରଂ ଅନ୍ତେବାସୀ ଅଭିଯୋଗ ଆଣିବା ପରେ ଜେଲର ସୁରକ୍ଷା ନେଇ ସନ୍ଦେହ ପ୍ରକାଶ ପାଇଛି। ୨୦୧୬ରେ ଜେଲ ପରିସରରେ ଶେଷଥର ପାଇଁ ବଡ଼ଧରଣର ଚଢ଼ଉ ହୋଇଥିଲା। ଏହା ପରଠାରୁ ଆଉ ଚଢ଼ଉ କରାଯାଇନାହିଁ। ଫଳରେ ଅଧିକାଂଶ ସମୟରେ ଜେଲ୍‍ରୁ ଅପରାଧ ନିୟନ୍ତ୍ରଣ ହେଉଥିବାବେଳେ ଜେଲ ଭିତରେ ତୁମୁଳ କାଣ୍ଡ ଘଟି କଏଦୀଙ୍କ ଜୀବନ ବିପନ୍ନ ହେଉଥିବା ଅଭିଯୋଗ ହେଉଛି।
ନିକଟରେ ସଜା କାଟୁଥିବା କଏଦୀ କଟକ କେଶରପୁର ଅଞ୍ଚଚଳର ଶୁଭ୍ରାଂଶୁଶେଖର ଦାସ ମୃତ୍ୟୁ ପରେ ଚୌଦ୍ୱାର ଜେଲ ଚର୍ଚ୍ଚାକୁ ଆସିଛି। ହୃଦ୍‍ଘାତରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷ କହୁଥିବାବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।
ପୂର୍ବରୁ ଶୁଭ୍ରାଂଶୁ ଜେଲ୍‍ ଭିତରେ ହେଉଥିବା ବିଭିନ୍ନ ଚୋରା କାରବାର, ନିମ୍ନମାନର ଖାଦ୍ୟ ଓ କଏଦୀମାନଙ୍କୁ ଶ୍ରମିକ ଭାବେ ବ୍ୟବହାର କରାଯାଉଥିବା ମୋବାଇଲରେ ରେକର୍ଡ କରି ପ୍ରଘଟ କରିଥିଲେ। ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଜେଲ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିଲେ। ଏବେ ଆଉ ଏକ ପ୍ରସଙ୍ଗ ସାମ୍ନାକୁ ଆସୁଛି। କିଛିଦିନ ତଳେ ଜେଲ୍‍ ଭିତରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଶୁଭ୍ରାଶୁଂ ଆହତ ହୋଇଥିଲେ। ତାଙ୍କୁ ଜେଲ୍‍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୮ ତାରିଖରେ ଶୁଭ୍ରାଂଶୁଙ୍କ ମା’ ସାକ୍ଷାତ କରିବାବେଳେ ମଧ୍ୟ ସେ ଜେଲ ଭିତରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା କହିଥିଲା।
ସୂଚନାଯୋଗ୍ୟ, ୨୦୧୪ରେ ଚୌଦ୍ୱାର ଥାନାର ପୂର୍ବତନ ଆଇଆଇସି ଅଜୟ କୁମାର ଦାସଙ୍କ ନେତୃତରେ ଜେଲରେ ଏକ ବଡ଼ଧରଣର ଚଢ଼ଉ ହୋଇଥିଲା। ସେତେବେଳେ ମୋବାଇଲ ଫୋନ, ସିମ୍‍, ଟିଭି, ରୁମ ଥିଏଟର ସହ ବହୁ ସୌଖୀନ ସାମଗ୍ରୀ ଓ ମାଦକ ଦ୍ରବ୍ୟ ଜବତ ହୋଇଥିଲା। ପରେ ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ପକ୍ଷରୁ ୨୦୧୬ରେ ମଧ୍ୟ ଜେଲରେ ଚଢ଼ଉ କରାଯାଇଥିଲା। ସେଥର ମଧ୍ୟ ବହୁ ସୌଖୀନ ସାମଗ୍ରୀ ଜବତ କରାଯାଇଥିଲା। ଏହାପରଠାରୁ ଆଉ ଜେଲରେ ବଡ଼ଧରଣର ଚଢ଼ଉ ହୋଇ ନାହିଁ। ଏ ସଂକ୍ରାନ୍ତରେ ଜେଲ୍‍ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ୱାଇଁ କହନ୍ତି ଜେଲ୍‍ ଭିତରେ ସବୁ ଠିକ୍‍ ଅଛି। ବାହାରେ ପ୍ରଘଟ ହୋଇଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା।

Leave A Reply