ପୁଣି ଚନ୍ଦ୍ରପୃଷ୍ଠରେ ଅବତରଣ ଉଦ୍ୟମ କରିବ ଭାରତ ୨୦୨୦ ; ନଭେମ୍ବରରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ଯୋଜନା

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ନେଇ ଚନ୍ଦ୍ରଯାନ-୨ର ବିଫଳତା ପରେ ଭାରତ ପୁନଃ ନିଜର ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ୨୦୨୦ ନଭେମ୍ବର ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫ୍ଟଲ୍ୟାଣ୍ଡିଂ ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଯୋଜନା ଚଳାଇଛି। ଏଥିନିମନ୍ତେ ଇସ୍ରୋ ପକ୍ଷରୁ ତିରଅନନ୍ତପୁରମସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ନିର୍ଦେଶକ ଏସ. ସୋମନାଥଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ଚନ୍ଦ୍ରଯାନ-୩ ସମ୍ବନ୍ଧରେ ଏକ ପ୍ରସ୍ତାବିତ ରିପୋର୍ଟ ପ୍ରସ୍ତୁତ କରିବ। ଏବେ ଏହି ରିପୋର୍ଟକୁ ଅପେକ୍ଷା ରହିଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅଭିଯାନ ସମ୍ବନ୍ଧୀୟ ପ୍ରସ୍ତୁତି କରିବା ଲାଗି କମିଟିକୁ ଏକ ନିର୍ଦେଶାବଳୀ ପ୍ରଦାନ କରାଯାଇଥିବା ଇସ୍ରୋ ସୂତ୍ରରୁ ଜଣାପଡିଛି। ଏହି ଅଭିଯାନରେ ରୋଭର, ଲ୍ୟାଣ୍ଡର ଓ ଲ୍ୟାଣ୍ଡିଂ ଅପରେସନ ଉପରେ ଅଧିକ ଧ୍ୟାନ ଦିଆଯିବ। ଚନ୍ଦ୍ରଯାନ-୨ରେ ଥିବା ତ୍ରୁଟି ଏଥିରେ ସଂଶୋଧନ କରାଯିବ। ସେପ୍ଟେମ୍ବର ୨ରେ ଚନ୍ଦ୍ରାଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ପୃଷ୍ଠଭୂମି ଛୁଇଁବା ପୂର୍ବରୁ ଇସ୍ରୋ ସହିତ ଏହାର ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଲିକୁଇଡ ପ୍ରପଲସନ ସିଷ୍ଟମ୍ସ ସେଣ୍ଟରର ନିର୍ଦେଶକ ଭି. ନାରାୟଣନଙ୍କ ନେତୃତ୍ବରେ ଏକ ଜାତୀୟ ସ୍ତରୀୟ କମିଟି ବିକ୍ରମ ସହିତ ସମ୍ପର୍କ ଛିନ୍ନ ସମ୍ବନ୍ଧରେ ଅନୁଧ୍ୟାନ କରୁଛି।

Comments are closed.