୪ ଅଣଓଡ଼ିଆ ଯୁବକଙ୍କ ସହ ୬ ଗିରଫ

0

୭୫ ପାସପୋର୍ଟ, ୨୦୦ ଆବେଦନପତ୍ର ଜବତ

ଭୁବନେଶ୍ୱର : ବିଦେଶରେ ଚାକିରି କରିବାକୁ ଆଗ୍ରହୀ ବେକାର ଯୁବକଙ୍କୁ ମନୋନୟନ କରୁଥିବା ଏକ ଠକ ସଂସ୍ଥାର ୬ ସଦସ୍ୟଙ୍କୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ମହାରାଷ୍ଟ୍ରର ଏବଂ ୨ଜଣ ଓଡ଼ିଶା ଯୁବକ ଥିବା ଜଣାପଡ଼ିଛି। ଏହି ୬ ଯୁବକ ଖଣ୍ଡଗିରି ଥାନା ଅଧୀନ ଏକ ଗେଷ୍ଟହାଉସ୍‍ରେ ଗତ ୧୩ ତାରିଖରୁ ୩ ଦିନ ପାଇଁ ମନୋନୟନ ପ୍ରକ୍ରିୟା ଚଳାଇଥିଲେ। ରାଜ୍ୟର ବିଭିନ୍ନ ଆଡୁ ଶତାଧିକ ବେକାର ଗେଷ୍ଟହାଉସ୍‍କୁ ଯାଇ ଏହି ଠକେଇ ସଂସ୍ଥାର ହାବୁଡ଼ରେ ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଉକ୍ତ ଗେଷ୍ଟହାଉସ୍‍ରେ ଚଢ଼ଉ କରି ମନୋନୟନ କରୁଥିବା ସଂସ୍ଥାର ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ବେଳେ ସେମାନଙ୍କ ନିକଟରେ ବିଦେଶୀ ସଂସ୍ଥା ପାଇଁ ମନୋନୟନ କରିବା ଲାଗି ଆବଶ୍ୟକ କାଗଜପତ୍ର ନ ଥିଲା। ତେଣୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ୭୫ଟି ପାସ୍‍ପୋର୍ଟ, ୨୦୦ ଆବେଦନ ପତ୍ର, ଆଧାରକାର୍ଡ ଓ ପାନ୍‍ କାର୍ଡ ଆଦି ଜବତ କରାଯାଇଛି ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।
ଗିରଫ ଯୁବକମାନେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଅଜଗର ଅଲ୍ଲୀ ସୟଦ, ସାଜିଦ୍‍ ଅଲ୍ଲୀ ମନିଅର, ସେକ୍‍ ମୁଜାହିଦ୍ଦିନ ଜିଆହୁଦିନ୍‍ ଓ ମୁସ୍ତାକ ମହମ୍ମଦ ଏବଂ ଅନ୍ୟ ଦୁଇ ଓଡ଼ିଆ ଯୁବକ ପ୍ରମୋଦ ମହାରଣା ଓ ଚିତ୍ତରଞ୍ଜନ ମହାରଣା ବୋଲି ଜଣାପଡ଼ିଛି। ଗିରଫ ପ୍ରମୋଦ ନାମରେ ଓମ୍‍ ସିଟି ଟୁର୍‍ ଆଣ୍ଡ୍‍ ଟ୍ରାଭେଲସ୍‍ ନାମକ ଏକ ସଂସ୍ଥା ରହିଛି। ମନୋନୟନ ଲାଗି ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ଆସିଥିବା ୪ଜଣ ବିଦେଶରେ ଚାକିରି କରିବା ଲାଗି ଆଗ୍ରହୀଙ୍କଠାରୁ ପାସ୍‍ପୋର୍ଟ ନେଉଥିଲେ। ବିଦେଶରେ ଚାକିରି କରାଇବା ଲାଗି ହେଲେ କୌଣସି ସଂସ୍ଥାକୁ ଦେଶାନ୍ତର ଆଇନ୍‍ ଅନୁସାରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ, କିନ୍ତୁ ଉକ୍ତ ଯୁବକଙ୍କ ନିକଟରେ ଏଭଳି କିଛି ପ୍ରମାଣପତ୍ର ନ ଥିଲା। ଯେଉଁ କାଗଜପତ୍ର ସେମାନେ ଦେଖାଇଥିଲେ ତାହା ସହଜରେ ନକଲି ଜଣାପଡ଼ିଥିଲା ବୋଲି କହିଛନ୍ତି ପୁଲିସ କମିଶନର ଶ୍ରୀ ଖୁରାନିଆ। ଏହି ଯୁବକମାନେ ଜାଭେଦ୍‍ ସୟଦ ନାମକ ଅନ୍ୟ ଜଣେ ଯୁବକଙ୍କ ନାମରେ ପଞ୍ଜୀକୃତ ଥିବା ସ୍କାଏ ଟୁର୍‍ ଆଣ୍ଡ୍‍ ଟ୍ରାଭେଲ୍ସ ମାଧ୍ୟମରେ ବିଦେଶକୁ ବେକାର ଯୁବକଙ୍କୁ ପଠାଇବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି କମିଶନର ସୂଚନା ଦେଇଛନ୍ତି।

Leave A Reply