ଚିଟ୍‍ଫଣ୍ଡ୍‍ ନିର୍ଦେଶିକାଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

0

ଭୁବନେଶ୍ୱର: ଜମାକାରୀଙ୍କୁ ବିଭିନ୍ନ ଯୋଜନାରେ ଅଧିକ ସୁଧର ପ୍ରଲୋଭନ ଦେଖାଇ ୫ କୋଟି ଟଙ୍କାର ଅଧିକ ଠକେଇ କରିଥିବା ଚିଟଫଣ୍ଡ୍‍ କମ୍ପାନୀ ମେସର୍ସ ଇଣ୍ଟରଓସିନ୍‍ ଗ୍ରୁପ୍‍ର ନିର୍ଦେଶିକା ସୁନିତା ସାମଲଙ୍କୁ ଗୁରୁବାର କ୍ରାଇମ୍‍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ସୁନିତାଙ୍କ ଘର ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ମନସରା। ତାଙ୍କ ବିରୋଧରେ କ୍ରାଇମ୍‍ବ୍ରଞ୍ଚ ଆଇପିସିର ଧାରା ୪୦୬/୪୨୦/୪୬୭/୪୬୮/୪୭୧/୧୨୦(ଖ) ଏବଂ ପିସିଏମ୍‍ସି ସ୍କିମ୍‍(ବାନିଂ) ଆକ୍ଟ ୧୯୭୬ର ଧାରା ୪/୫/୬ଏବଂ ଓପିଆଇଡି ଆଇନ୍‍ର ୬ରେ ମାମଲା ରୁଜୁ କରିଛି।
ତାଳଚେରର ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ଏହି ମାମଲା ରୁଜୁ କରିଥିଲା। କ୍ରାଇମ୍‍ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୧୦ରୁ ୨୦୧୩ ମଧ୍ୟରେ ମେସର୍ସ ଇଣ୍ଟରଓସିନ୍‍ ବିଦେଶ ଲିମିଟେଡ଼ଏବଂ ଏହା ଅଂଶୀଦାର ସଂସ୍ଥା ଜମାକାରୀଙ୍କୁ ଅଧିକ ସୁଧର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଜମା ନେଇଥିଲେ। ସ୍ଥାୟୀ ଜମାର ମିଆଦ ପୂରଣ ହେବା ପରେ ଜମାକାରୀ ଅର୍ଥ ଫେରିପାଇବାକୁ କମ୍ପାନୀ ସହିତ ଯୋଗାଯୋଗ କରିବା ବେଳେ ଯେଉଁ ଚେକ୍‍ ମିଳିଥିଲା ତାହା ବାଉନ୍ସ ହୋଇଯାଇଥିଲା। ସେହିପରି ଅଧିକ ସଂଖ୍ୟକ ଜମାକାରୀ ଅଫିସକୁ ଆସିବାରୁ ତାହା ବନ୍ଦ ହୋଇଯାଇଥିଲା। ତାଳଚେର, ଅନୁଗୋଳ, ଯାଜପୁର ଓ ଅବିଭକ୍ତ କଟକ ଜିଲାର ବିଭିନ୍ନ ସ୍ଥାନରେ କମ୍ପାନୀର ଶାଖା କାର୍ଯ୍ୟାଳୟ ଥିଲା ତାହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯାଇଥିଲା। ୨୦୧୩ ପରଠାରୁ କମ୍ପାନୀର ପରିଚାଳନା ନିର୍ଦେଶକ ଓ ନିର୍ଦେଶିକା କେଉଁଆଡେ ଫେରାର୍‍ ହୋଇଯାଇଥିଲେ। ଜମାକାରୀ ନିରାଶ ହେବା ପରେ ୨୦୧୬ରେ କ୍ରାଇମ୍‍ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ।

Leave A Reply