୧.୧ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ କମିସନଙ୍କ ପଞ୍ଚମ ଅନ୍ତରୀଣ ରିପୋର୍ଟ

0

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ପଞ୍ଚମ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିସନଙ୍କ ସଚିବ ଦେବରାଜ ରାଉତ ଆଜି ଗୃହ ବିଭାଗ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ୧୨ହଜାର ୫୩୦ ପୃଷ୍ଠାର ଏହି ରିପୋର୍ଟରେ ୧୦ହଜାରରୁ କମ୍‌ ପୁଞ୍ଜି ବିନିଯୋଗ କରିଥିବା ୧ଲକ୍ଷ ୧ହଜାର ୮୫୦ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଥ୍ୟ ରହିଥିବାବେଳେ ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା କମିସନ ସୂଚନା ଦେଇଛନ୍ତି। ତେବେ ପଞ୍ଚମ ପର୍ଯ୍ୟାୟରେ ୧୭୪ଜଣ ଜମାକାରୀ ଟଙ୍କା ଫେରସ୍ତ ପାଇଥିବା ଜଣାଯାଇଛି। ବିଭିନ୍ନ କମ୍ପାନୀ କମିସନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛନ୍ତି। ତେବେ ଗତ ଜାନୁୟାରୀ ଠାରୁ ମେ ମାସ ମଧ୍ୟରେ ୨.୫୨ ଲକ୍ଷ ସତ୍ୟପାଠ ଯାଞ୍ଚ କରାଯାଇ ୪୮୬ କମ୍ପାନୀଙ୍କୁ ନୋଟିସ ହୋଇଥିବାବେଳେ ସେଥି ମଧ୍ୟରେ ଥିବା ୨୯୦ଟି ଚିଟ୍‌ଫଣ୍ଡ ସଂସ୍ଥା ସଂପର୍କରେ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଅଦ୍ୟାବଧି ସମୁଦାୟ ୨ଲକ୍ଷ ୧୮ହଜାର ୩୫୪ ଜମାକାରୀ ଚିହ୍ନଟ ହୋଇଥିବାବେଳେ ସମୁଦାୟ ୧୪୮୫ଜଣ କ୍ଷୁଦ୍ର ଜମାକାରୀ ଅର୍ଥ ଫେରସ୍ତ ପାଇଥିବା କମିସନ ସୂଚନା ଦେଇଛନ୍ତି।
ସେହିପରି ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା କମିସନ ଜଷ୍ଟିସ ଦାସ ସୂଚନା ଦେଇଛନ୍ତି। ୫ଲକ୍ଷ ୯୩ହଜାର ୧ରୁ ୮ଲକ୍ଷ ୧୭ହଜାର ୨୫୩ ସତ୍ୟପାଠ ଯାଞ୍ଚ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। କମିସନଙ୍କ ଠାରେ ପାଖାପାଖି ୮୦ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠ ରହିଥିବାବେଳେ ନୂଆ କରି ଦେଢ ଲକ୍ଷରୁ ଊର୍ଦ୍ଧ୍ବ ସତ୍ୟପାଠ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି। ତେବେ ଏ ସଂପର୍କରେ ବିଚାରକୁ ନିଆଯିବ ବୋଲି କମିସନ କହିଛନ୍ତି।
କର୍ପସ ଫଣ୍ଡରୁ ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହିପରି କମ୍ପାନୀମାନଙ୍କ ଜବତ ହୋଇଥିବା ସଂପତ୍ତି ବ୍ରିକ୍ରି ପାଇଁ ମଧ୍ୟ ପଦକ୍ଷେପ ନିଆଗଲାଣି। ତେବେ ଠିକଣା ମିଳୁ ନ ଥିବା କାରଣରୁ ନୋଟିସ ଦେବାରେ ସମସ୍ୟା ଦେଖାଯାଇଛି। ଏ ସଂପର୍କରେ ସମ୍ବାଦପତ୍ର ମାଧ୍ୟମରେ ବିଜ୍ଞାପନ ଜରିଆରେ ନୋଟିସ ହେବ ବୋଲି କମିସନ କହିଛନ୍ତି।

Leave A Reply