ଚୀନ୍‌ର ଦାବି: ୧୩ହଜାର ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି

0

ବେଜିଂ : ଚୀନ୍‌ ୨୦୧୪ରୁ ଅଦ୍ୟାବଧି ଜିନ୍‌ଜିଆଙ୍ଗ ପ୍ରଦେଶରୁ ପ୍ରାୟ ୧୩ହଜାର ଆତଙ୍କବାଦୀଙ୍କୁ ଗିରଫ କରିଥିବା ଦାବି କରିଛି। ସେମାନଙ୍କୁ ବିଭିନ୍ନ ଅଟକ ଗୃହରେ ରଖାଯାଇଥିବା କହିଛନ୍ତି ଜଣେ ସରକାରୀ ଅଧିକାରୀ। ଦେଶର ଏହି ପଶ୍ଚିମାଞ୍ଚଳ ପ୍ରଦେଶର ଉଇଘର ଓ ଅନ୍ୟ ମୁସଲମାନ ଉଗ୍ରବାଦୀଙ୍କୁ ଚୀନ୍‌ ସରକାର ଆତଙ୍କବାଦୀ ଆଖ୍ୟା ଦେବା ସହ ସେମାନଙ୍କୁ ଦମନ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରସ୍ତୁତ ହୋଇଛି। ଏହି ସମୟ ମଧ୍ୟରେ ୧୫୮୮ ଆତଙ୍କବାଦୀ ସଗଂଠନକୁ ଧ୍ବଂସ କରାଯାଇଛି ଓ ଉପରୋକ୍ତ ସଂଖ୍ୟକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହାବ୍ୟତୀତ ୨୦୫୧ ବିସ୍ଫୋରକ ସାମଗ୍ରୀ ଓ ୩ଲକ୍ଷ ୪୫ହଜାର ୨୨୯ ପୃଷ୍ଠାର ବେଆଇନ ଧାର୍ମିକ କାଗଜପତ୍ର ନଷ୍ଟ କରାଯାଇଛି। ସେହିଭଳି ୪୮୫୮ଟି ବେଆଇନ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ୩୦ହଜାର ୬୪୫ଜଣଙ୍କୁ ଦଣ୍ଡିତ କରାଯାଇଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଧନ୍ଦାମୂଳକ ଶିକ୍ଷା ତାଲିମ କେନ୍ଦ୍ର କୁହାଯାଉଥିବା ଅଟକ ଗୃହଗୁଡ଼ିକରେ ଲକ୍ଷାଧିକ ମୁସଲମାନଙ୍କୁ ବନ୍ଦୀ କରି ରଖାଯିବା ଘଟଣା ନେଇ ଆନ୍ତର୍ଜାତିକ ସମୁଦାୟ ସମାଲୋଚନା କରିବା ପରିପ୍ରେକ୍ଷୀରେ ସମ୍ପୃକ୍ତ ଅଧିକାରୀ କହିଛନ୍ତି ଯେ ଇସ୍‌ଲାମିକ ଆତଙ୍କବାଦର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଅପରପକ୍ଷରେ ବିଶ୍ବ ଉଇଘର କଂଗ୍ରେସ ମୁଖପାତ୍ର ଦିଲଜାତ୍‌ ରଜିତଙ୍କ କହିବାନୁଯାୟୀ, ଚୀନ୍‌ ସରକାର ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମ୍ପ୍ରଦାୟକୁ ନିଶାଣ କରୁଛନ୍ତି ଓ ସତ୍ୟକୁ ଚାପି ରଖିବା ଉଦ୍ୟମ ଚଳାଇଛନ୍ତି।

Leave A Reply