ପାକିସ୍ତାନ ପାଇଁ ଚୀନ ନିର୍ମାଣ କରୁଛି ୮ଟି ବୁଡ଼ାଜାହାଜ

0

ବେଜିଂ/ଇସଲାମାବାଦ : ଭାରତକୁ ପ୍ରତିହତ କରିବା ଲକ୍ଷ୍ୟରେ ଚୀନ ପାକିସ୍ତାନକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଛି। ଏହି କ୍ରମରେ ପାକିସ୍ତାନ ପାଇଁ ଚୀନ ୮ଟି ବୁଡ଼ାଜାହାଜ ନିର୍ମାଣ କରୁଛି। ଏହାଦ୍ୱାରା ଭାରତ ମହାସାଗର ଏବଂ ଆରବ ସାଗରରେ ପାକିସ୍ତାନ ନିଜ ସ୍ଥିତିକୁ ମଜଭୁତ କରିପାରିବ ଓ ଭାରତୀୟ ନୌସେନାର ମୁକାବିଲା କରିପାରିବ ବୋଲି ଚୀନ ଆଶା ରଖିଛି। ସୂଚନା ଅନୁସାରେ ହାଙ୍ଗୋରନ ନାମକ ଏକ ପ୍ରକଳ୍ପ ଜରିଆରେ ଚୀନର ଏକ ବୁଡ଼ାଜାହାଜ ନିର୍ମାଣକାରୀ କମ୍ପାନୀ ପାକିସ୍ତାନ ପାଇଁ ୮ଟି ବୁଡ଼ାଜାହାଜ ନିର୍ମାଣ କରୁଛି। ଖୁବଶୀଘ୍ର ପାକିସ୍ତାନକୁ ବୁଡ଼ାଜାହାଜ ଗୁଡ଼ିକ ପ୍ରଦାନ କରାଯିବ। ବର୍ତ୍ତମାନ ଭାରତ ନିକଟରେ ୧୬ଟି ଓ ପାକିସ୍ତାନ ପାଖରେ ୧୦ଟି ବୁଡ଼ାଜାହାଜ ରହିଛି। ୮ଟି ଅଧିକ ବୁଡ଼ାଜାହାଜ ପାଇବା ପରେ ପାକିସ୍ତାନର ବୁଡ଼ାଜାହାଜ ସଂଖ୍ୟା ଭାରତକୁ ଟପିଯିବ। ଆଗକୁ ଏହି ବୁଡ଼ାଜାହାଜକୁ ଚୀନ ନିଜ ଫାଇଦା ପାଇଁ ବ୍ୟବହାର କରିବାର ଅଶଙ୍କା ରହିଛି। ପ୍ରକାଶ ଯେ ଜୁଲାଇ ୯ରେ ଚୀନ୍‍ ପାକିସ୍ତାନ ପାଇଁ ଦୁଇଟି ରିମୋଟ ସେନ୍ସିଂ ସାଟେଲାଇଟ୍‍ ମହାକାଶକୁ ପ୍ରେରଣ କରିଛି। ଚୀନ୍‍-ପାକିସ୍ତାନ ମହାକାଶ ସହଯୋଗ ଭିତ୍ତିରେ ୨୦୧୧ରେ ପ୍ରଥମ କରି ପାକ୍‍ଷ୍ଟାର-୧ଆର ଯୋଗାଯୋଗ ଉପଗ୍ରହ ପ୍ରେରଣ କରାଯାଇଥିଲା।
ପାକିସ୍ତାନ ପାଁଇ ଚୀନ ଦ୍ୱାରା ନିର୍ମିତ ପ୍ରେସ୍‍-୧ ଉପଗ୍ରହ ପୃଥିବୀ ପୃଷ୍ଠର ଭୂଭାଗରେ ନିହିତ ସମ୍ପଦ ସମ୍ପର୍କରେ ସର୍ବେକ୍ଷଣ କରିବ। ଏହାଛଡ଼ା ପାଣିପାଗ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବ। କୃଷି ଓ ନଗରାଞ୍ଚଳ ପ୍ରକଳ୍ପ ଆଦି ବାବଦରେ ରିମୋଟ ସେନ୍ସିଂ ବ୍ୟବସ୍ଥାରେ ତଥ୍ୟ ପ୍ରଦାନ କରିବ। ଏହି ଦୁଇ ଉପଗ୍ରହ ବିଶେଷ ଭାବେ ଚୀନ୍‍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ବେଲ୍ଟ ଏଣ୍ଡ ରୋଡ’ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ଭାରତର ଗତିବିଧି ଉପରେ ନଜର ରଖିବ।

Leave A Reply