ଚୀନ୍‍ରେ ଛପାଯାଉଛି ଭାରତର ଟଙ୍କା!

0

ନୂଆଦିଲ୍ଲୀ: ଚୀନ୍‍ରେ ଛପାଯାଉଛି ଭାରତୀୟ ଟଙ୍କା। ଏଭଳି ଖବର ଥିବା ଏକ ସନ୍ଦର୍ଭ ଏବେ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଖବରକୁ ଅସ୍ୱୀକାର କରାଯାଇଛି।
ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ନାମକ ଚୀନ୍‍ର ଏକ ସମ୍ବାଦପତ୍ରରେ ପ୍ରକାଶିତ ‘କାହିଁକି ଅନ୍ୟଦେଶମାନେ ସେମାନଙ୍କ ମୁଦ୍ରା ଛାପିବା ପାଇଁ ଚୀନ୍‍କୁ ଅନୁମତି ଦେଉଛନ୍ତି’ ଶୀର୍ଷକ ସନ୍ଦର୍ଭର ତଥ୍ୟାନୁଯାୟୀ ଭାରତ ସମେତ ଅନ୍ୟ କେତେକ ଦେଶ ସେମାନଙ୍କ ଦେଶର ମୁଦ୍ରା ଛାପିବା ପାଇଁ ଚୀନ୍‍କୁ ଅନୁମତି ଦେଇଛନ୍ତି। ଏହାପରେ ବେଜିଂର ରାଷ୍ଟ୍ରାୟତ୍ତ ଟଙ୍କା ମୁଦ୍ରଣ ସଂସ୍ଥାଗୁଡ଼ିକ ବିପୁଳ ପରିମାଣର ଅନ୍ୟ ଦେଶର ମୁଦ୍ରା ଛାପିବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାଦ୍ୱାରା ଚୀନ୍‍ ସେହିସବୁ ଦେଶଗୁଡ଼ିକର ଅର୍ଥନୀତି ଓ ରାଜନୀତି ଉପରେ କବ୍‍ଜା କରିବା ସହଜ ହୋଇଛି ବୋଲି ସନ୍ଦର୍ଭରେ ଉଲ୍ଳେଖ ରହିଛି। ଚୀନକୁ ମୁଦ୍ରା ଛାପିବା ପାଇଁ ଅନୁମତି ଦେଇଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ବାଂଲାଦେଶ, ମାଲେସିଆ, ବ୍ରାଜିଲ୍‍ ଓ ପୋଲାଣ୍ଡ ରହିଛନ୍ତି।
ଏ ବିଷୟରେ ଜଣାପଡ଼ିବା ପରେ ଭାରତରେ ବିଭିନ୍ନ ମହଲରୁ ଉଦ୍‍ବେଗ ପ୍ରକାଶ ପାଇଛି। ଚୀନ୍‍ରେ ଭାରତୀୟ ମୁଦ୍ରା ଛାପିବାକୁ ଅନୁମତି ଦେବା ଦ୍ୱାରା ଭାରତର ଅର୍ଥନୀତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ୍‍ରେ ଉଲ୍ଲେଖ କରିଛନ୍ତି।
ଅପରପକ୍ଷରେ ଏଭଳି ତଥ୍ୟକୁ ଉଭୟ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଆରବିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। କେନ୍ଦ୍ର ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗ ଗତ ୧୩ ତାରିଖରେ ଏ ସଂକ୍ରାନ୍ତରେ ଏକ ସ୍ପଷ୍ଟୀକରଣରେ କହିଛନ୍ତି ଯେ ଚୀନରେ ଭାରତୀୟ ମୁଦ୍ରା ଛପାଯାଉଥିବାର ଖବର ଅମୂଳକ। ଭାରତରେ ହିଁ ଭାରୀୟ ମୁଦ୍ରା ମୁଦ୍ରଣ କରାଯାଉଛି। ସେହିପରି ତଥ୍ୟକୁ ବିଭ୍ରାନ୍ତିମୂଳକ ବୋଲି କହିଛି ଆରବିଆଇ।

Leave A Reply