ଜୋରରେ ପବନ ଯୋଗୁଁ  ଚିଲିକାରେ ଡଙ୍ଗା ବୁଡ଼ିଥିଲା : ତଦନ୍ତ ରିପୋର୍ଟ

0

ଭୁବନେଶ୍ବର : ଜୋରରେ ପବନ ବହିବାରୁ ଚିଲିକାରେ ଡଙ୍ଗା ବୁଡିଥିଲା ।  ଚିଲିକାରେ ଡଙ୍ଗା ବୁଡି ୬ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟରୁ ଏହା ଜଣାପଡିଛି ।  କୌଣସି ବୈଷୟିକ ତୃଟି ନୁହେଁ ବରଂ ପ୍ରବଳ ପବନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ତଦନ୍ତ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣର ଲାଇଫ ଜ୍ୟାକେଟ ଥିଲା। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିଲାବେଳେ ୨୦ଟି ଜ୍ୟାକେଟ ଥିଲା। ତେବେ ଅନ୍ୟ କୌଣସି କାରଣ ନୁହେଁ  ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହିଁ ଡଙ୍ଗା ବୁଡି ଯାଇଥିଲା। ସେହି ସମୟରେ ଜୋରରେ ପବନ ଓ ବର୍ଷା ଆସିବାରୁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡି ଯାଇଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡିଛି। ପରିବହନ ସଚିବ ଜି.ଶ୍ରୀନିବାସ ଏହି ରିପୋର୍ଟ ସଂପର୍କ​‌ରେ  ସୂଚନା ଦେଇ କହିଛନ୍ତି ଯେ, ପ୍ରବଳ ପବନ ହିଁ ଡଙ୍ଗା ଦୁର୍ଘଟଣାର ମୁଖ୍ୟ  କାରଣ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ସଂଧ୍ୟାରେ କାଳିଜାଇଙ୍କ ଦର୍ଶନ ପାଇଁ ୧୬ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ଡଙ୍ଗା ଫେରିବା ବେଳେ ମଝି ଚିଲିକାରେ ବୁଡିଯାଇଥିଲା। ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ଘଟିଥିଲା।  ଏହି ଘଟଣାର ତଦନ୍ତ ପାଇଁ ଜଳ ପରିବହନ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷ କରି କେଉଁ ପରିସ୍ଥିତିରେ ଡଙ୍ଗା ବୁଡିଲା, ଡଙ୍ଗା ଗୁଡିକର ଫିଟନେସ ସାର୍ଟିଫିକେଟ ଅଛି କି ନାହିଁ,  ଡଙ୍ଗାର ପଞ୍ଜିକରଣ ହୋଇଛି କି ନାହିଁ, ବାଜି ରାଉତ ଯୋଜାନର ଲାଇଫ ଜ୍ୟାକେଟ ମିଳୁଛି କି ନାହିଁ ସେ ନେଇ ତଦନ୍ତ କରିବା ପାଇଁ କୁହାଯାଇଥିଲା ।

 

Leave A Reply