ଲାଇଫ ବୋଏ ଥିଲେ ଯାଇ ନ ଥାନ୍ତା ୬ ଜୀବନ

0

ଭୁବନେଶ୍ୱର : ଚିଲିକାରେ ଡଙ୍ଗାବୁଡ଼ି ଅକାଳରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଲାଇଫ ବୋଏ ଥିଲେ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇଥାନ୍ତା ବୋଲି ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ନିର୍ଦେଶକ ସୁବ୍ରତ ରାଉତ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଆବଶ୍ୟକ ତଦନ୍ତ ପରେ ଶ୍ରୀ ରାଉତ ବୁଧବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ୧୦ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ସେ ସଂପୃକ୍ତ ଡଙ୍ଗା ମାଲିକ ଓ ଚାଳକଙ୍କୁ ଦାୟୀ କରିଛନ୍ତି। ରିପୋର୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ ସରକାରଙ୍କ ନିର୍ଦେଶ ମୁତାବକ ସହିଦ ବାଜି ରାଉତ ନୌ ସୁରକ୍ଷା ଯୋଜନାରେ ଏହି ଡଙ୍ଗା ପାଇଁ ପ୍ରାୟ୧୫ଟି ଲାଇଫ ଜ୍ୟାକେଟ ଓ ୩ଟି ଲାଇଫ ବୋଏ ଯୋଗାଇ ଦିଆଯାଇଥିଲା। ଘଟଣା ଦିନ ଯାତ୍ରୀଙ୍କୁ ନେଇ କାଳୀଜାଈ ଯାଇଥିବା ଏହି ଡଙ୍ଗାରେ ସେସବୁ ନଥିଲା। ଲାଇଫ ବୋଏ ଥିଲେ ସମସ୍ତେ ସୁରକ୍ଷିତ ରହିପାରିଥାନ୍ତେ।
କାଳୀଜାଈ ପୀଠରୁ ତିନି କିମି ଭିତରେ ଏହି ଦୁର୍ଘଟଣା ଘଟିଥିଲା। ପାଗ ଖରାପ ହୋଇ ଆସୁଥିବା ବେଳେ ଡଙ୍ଗା ଚାଳକ ଯାତ୍ରା ଆରମ୍ଭ କରିଥିଲା। କାଳବୈଶାଖୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପାଗକୁ ଦେଖି ଚାଳକ ଡଙ୍ଗାକୁ କାଳୀଜାଈ ପୀଠରେ ଅତି କମ୍‌ରେ ୧୫ ମିନିଟ ଅଟକାଇ ରଖିଥିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି ସେ ଉଲ୍ଲେଖ କରିଛନ୍ତି। ଯାତ୍ରୀବାହୀ ଡଙ୍ଗାରେ ଲାଇଫ ଜ୍ୟାକେଟ ଓ ଲାଇଫ ବୋଏ ରଖିବା ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଚିଲିକାରେ ଚଳାଚଳ କରୁଥିବା ଯାତ୍ରୀବାହୀ ଡଙ୍ଗା ବାଜି ରାଉତ ନୌଯାତ୍ରୀ ସୁରକ୍ଷା ଯୋଜନାରେ ପ୍ରାୟ ୪ହଜାର ଲାଇଫ ଜ୍ୟାକେଟ ଏବଂ ହଜାରେ ପାଖାପାଖି ଲାଇଫ ବୋଏ ନେଇଛନ୍ତି। ପର୍ଯ୍ୟଟକ ଏବଂ କାଳୀଜାଈ ଯାଉଥିବା ଯାତ୍ରୀଙ୍କୁ ନେଇ ଚିଲିକାରେ ଚଳାଚଳ କରୁଥିବା ଅନେକ ଡଙ୍ଗା ଚାଳକ ଏହି ସୁରକ୍ଷା ସାମଗ୍ରୀ ନେଉନାହାନ୍ତି। ଏହାର ନିୟମିତ ତଦାରଖ କରାଯାଉନାହିଁ।
ଅନ୍ତର୍ଦେଶୀୟ ଜଳପଥ ନିର୍ଦେଶକ ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଥିବା ବେଳେ ଇତିମଧ୍ୟରେ ଖୋର୍ଦ୍ଧା ଜିଲାପାଳ ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ଜିଲାପାଳ ଦେଇଥିବା ରିପୋର୍ଟରେ ପଞ୍ଜିକୃତ ଏହି ଡଙ୍ଗାର ଫିଟ୍‌ନେସ ଏବଂ ବୀମା ଥିବା ଉଲ୍ଲେଖ କରଛନ୍ତି। ଏଥିସହ ଲାଇଫ ଜ୍ୟାକେଟ ଓ ଲାଇଫ ବୋଏ ନଥିବା କହିଛନ୍ତି। କାଳବୈଶାଖୀରେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି।

Leave A Reply