ନାଉରିଆ ଗିରଫ; ଘରୋଇ ଡଙ୍ଗା ବନ୍ଦ

0

ଚିଲିକା/ବାଣପୁର : ଚିଲିକା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ଶନିବାର ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରବିବାର ଆଉ ଚାରି ଜଣଙ୍କର ମୃତଦେହ ପାଣିରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା, ୪ ଜଣ ଶିଶୁ ଓ ଜଣେ ୧୮ ବର୍ଷ ବୟସର ଝିଅ ଅଛନ୍ତି। ମୃତକମାନେ ହେଲେ ପ୍ରମୋଦିନୀ ଦାସ (୨୮) ଓ ତାଙ୍କ ଝିଅ ଶ୍ରଦ୍ଧାଞ୍ଜଳି(୮), କଳ୍ପନା ମହାନ୍ତି (୧୮), ସୁଚିତ୍ରା ମହାନ୍ତି (୭), ମୀରା (୧୦) ଓ ସୁଧାଂଶୁ (୪)। ଡଙ୍ଗାବୁଡ଼ି ଘଟଣାରେ ଡଙ୍ଗା ଚାଳକକୁ ବାଲୁଗାଁ ପୁଲିସ ଗିରଫ କରିଛି। ସେ ହେଲେ ବସନ୍ତ ବେହେରା। ଘର ବାଲୁଗାଁ ଥାନା ସାମନ୍ତରାସାହିରେ। ରବିବାର ସନ୍ଧ୍ୟାରେ ପୁଲିସ ବସନ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ରଜ ଅବସରରେ ଭୁବନେଶ୍ୱରରେ ରହୁଥିବା ନୟାଗଡ ଜିଲା ଶରଣକୂଳ ଓ ରଣପୁର ଅଞ୍ଚଳର ଦୁଇଟି ପରିବାର ବାଲୁଗାଁ ଶିଖର ପଦରରେ ଥିବା ସମ୍ପର୍କୀୟ କୈଳାସ ପଟ୍ଟନାୟକଙ୍କ ଘରକୁ ବୁଲି ଆସିଥିଲେ। ଅପରାହ୍ଣରେ ଚିଲିକା ପରିଭ୍ରମଣ କରିବା ସହ ମା’ କାଳୀଜାଈଙ୍କ ଦର୍ଶନ କରିବା ପାଇଁ କୈଳାସଙ୍କ କୁନି ଝିଅ ମୀରାଙ୍କ ସମେତ ଡିମିସରର ରବୀନ୍ଦ୍ର ଦାସ, ପତ୍ନୀ ପ୍ରମୋଦିନୀ, ଝିଅ ଶ୍ରଦ୍ଧାଞ୍ଜଳି, ରଣପୁର ନରସିଂହପୁରର ପ୍ରଦୀପ ମହାନ୍ତି, ଝିଅ କଳ୍ପନା ମହାନ୍ତି, ପ୍ରଦୀପଙ୍କ ଝିଆରୀ ତଥା ଉପେନ୍ଦ୍ର ମହାନ୍ତିଙ୍କ ଝିଅ ସୁଚିତ୍ରା ମହାନ୍ତି, ଶଶିଦେଈ ଦାସ, ସ୍ୱର୍ଣ୍ଣପ୍ରଭା ଦାସ, ଜାମୁସାହି ପାଟଣାର ଶ୍ରୀନିବାସ ଦାସଙ୍କ ପୁଅ ସୁଧାଂଶୁ ପ୍ରମୁଖ ୧୨ ଜଣଙ୍କ ସମେତ ଫୁଲବାଣୀ ଅଞ୍ଚଳର ୩ ଜଣ ଅପରାହ୍ଣ ପ୍ରାୟ ୫ଟାରେ ବାଲୁଗାଁ ଚିଲିକା କୂଳ ଜେଟିରୁ ୧୭୩ ନମ୍ବର ଯାତ୍ରୀବାହୀ ନୌକାରେ କାଳୀଜାଈ ଯାଇଥିଲେ। ତେବେ ମା’ଙ୍କ ଦର୍ଶନ ସାରି ପ୍ରାୟ ସନ୍ଧ୍ୟା ଛଅଟାରେ ସେମାନେ ବାଲୁଗାଁ ଫେରୁଥିଲେ।
ମନ୍ଦିରଠାରୁ ପ୍ରାୟ ଦୁଇ କିଲୋମିଟର ଆସିଥିବାବେଳେ ହଠାତ୍‍ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା। ମଝିରେ ମଝିରେ ଚିଲିକା ଢେଉ ପାଣି ଡଙ୍ଗାରେ ପଶିବାରୁ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ। ମନ୍ଦିର ଫେରିଯାଇ ସେଠାରେ ଅପେକ୍ଷା କରିବା ସହ ପବନ ଶାନ୍ତ ହେଲେ ଫେରିବା ପାଇଁ କେତେକ ଯାତ୍ରୀ କହିଥିଲେ ମଧ୍ୟ ନାଉରିଆ ଏହାକୁ ଭ୍ରୂକ୍ଷେପ ନକରି ଡଙ୍ଗା ଚାଳନା କରିଥିଲେ। ଫଳରେ କିଛି ସମୟ ପରେ ଡଙ୍ଗାରେ ପାଣି ଭର୍ତ୍ତି ହୋଇଯିବାରୁ ଜଣଙ୍କ ପରେ ଜଣେ ପାଣିରେ ବୁଡି ଯାଇଥିଲେ। ନିକଟରେ ଥିବା ଅନ୍ୟ ଡଙ୍ଗା ଚାଳକ ଏହା ଦେଖିପାରି ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଦ୍ଧାର କରି ବଡକୂଳ ଜେଟିକୁ ଆଣିବା ସହ ବୋଟ ଆସୋସିଏସନ ଓ ଅଗ୍ନିଶମ ସହାୟତା କେନ୍ଦ୍ରକୁ ଖବର ଦେଇଥିଲେ। ସୂଚନା ପାଇ ଓଡ୍ରାଫ୍ଟ ଟିମ, ବାଲୁଗାଁ ଅଗ୍ନିଶମ ସେବା କେନ୍ଦ୍ର, ମତ୍ସ୍ୟଜୀବୀ, ବୋଟ ଆସୋସିଏସନର କର୍ମଚାରୀ ଓ ନୌସେନା ପକ୍ଷରୁ ପ୍ରାୟ ୬୦ ଜଣ ୨୦ଟି ବୋଟ ସାହାଯ୍ୟରେ ଦୁର୍ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ତେବେ ରାତ୍ରରେ ଶ୍ରଦ୍ଧାଞ୍ଜଳିଙ୍କ ମୃତଦେହ ମିଳିଥିବାବେଳେ ବିଳମ୍ବିତ ରାତ୍ରିରେ ଶ୍ରଦ୍ଧାଞ୍ଜଳିଙ୍କ ମା’ ପ୍ରମୋଦିନୀଙ୍କ ମୃତଦେହ ଚିଲିକାରୁ ଉଦ୍ଧାର ହୋଇଥିଲା। ଆଲୋକ ଅଭାବରୁ ରାତିରେ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବାବେଳେ ବିଳମ୍ବିତ ରାତ୍ରିରେ ଜିଲାପାଳ, ଉପଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲା ଅଗ୍ନିଶମ ଅଧିକାରୀ ପ୍ରମୁଖ ବଡକୂଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। ରବିବାର ସକାଳେ ଉଦ୍ଧାରକାରୀ ଦଳ ସୁଂଧାଶୁ ଦାସ, କଳ୍ପନା ମହାନ୍ତି, ସୁଚିତ୍ରା ମହାନ୍ତି, ମୀରା ପଟ୍ଟନାୟକଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଡଙ୍ଗା ଚାଳକ ଓ ତାଙ୍କ ସହଯୋଗୀଙ୍କ କୌଣସି ଖୋଜ ଖବର ମିଳିନାହିଁ। ରବୀନ୍ଦ୍ର ଦାସଙ୍କ ଅଭିଯୋଗକ୍ରମେ ବାଲୁଗାଁ ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇଛନ୍ତି।
ଯଦିଓ ରାଜ୍ୟ ସରକାର ମୃତ ବ୍ୟକ୍ତିଙ୍କ ପରିବାରମାନଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଦୁଇ ବର୍ଷ ତଳେ ଏହି କାଳିଜାଈ ଗଣ୍ଡରେ ଏହିଭଳି ଏକ ନୌକା ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲା ସାବୁରିଆ ଘାଟରୁ ଚିଲିକା ମଧ୍ୟସ୍ଥ ଘଣ୍ଟିଶାଳ ପାହାଡକୁ ପିକନିକ କରିବା ପାଇଁ ଯାଇଥିବା ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଜିଲାପାଳ ଓ ରାଜ୍ୟ ସରକାର ତୁରନ୍ତ ଚିଲିକା ମଧ୍ୟରେ ଚଳାଚଳ କରୁଥିବା ଯାତ୍ରୀବାହୀ ନୌକାର ସୁରକ୍ଷା ଓ ସମ୍ବଳ ପ୍ରତି ଦୃଢ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର : ଚିଲିକା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ମୁଖ୍ୟମନ୍ତ୍ରୀ ଉପରୋକ୍ତ ସହାୟତା ରାଶି ଘୋଷଣା କରିବା ସହ ସେମାନଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏତଦ୍‍ବ୍ୟତୀତ ଚିକିତ୍ସାଧୀନ ସମସ୍ତ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚିଲିକା ନୌକା ଦୁର୍ଘଟଣାରେ ୬ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାକ୍ତରଖାନାରେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।

ଚିଲିକାରେ ଘରୋଇ ଡଙ୍ଗା ଚଳାଚଳ ବନ୍ଦ

ଭୁବନେଶ୍ୱର/ଚିଲିକା/ବାଣପୁର : ଡଙ୍ଗାବୁଡ଼ି ଘଟଣା ପରେ ଚିଲିକାରେ ଘରୋଇ ଡଙ୍ଗା ଚଳାଚଳ ବନ୍ଦ କରିଦିଆଯାଇଛି। ଗତକାଲିର ଡଙ୍ଗାବୁଡ଼ି ଘଟଣା ପର୍ଯ୍ୟଟକଙ୍କ ନିରାପତ୍ତା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ନିୟମକୁ ଉପେକ୍ଷା କରି ଯାତ୍ରୀବାହୀ ନୌକା ଚଳାଚଳ କରୁଥିବାବେଳେ ସରକାରୀ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଉଦାସୀନତା ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି।
କେଉଁ ନୌକା ଏବଂ ନୌଚାଳକ ଯାତ୍ରୀବାହୀ ନୌକା ପରିବହନ କରିବେ ତାହାର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି। ଜୀବନ ସୁରକ୍ଷା ପ୍ରଦାନକାରୀ ଲାଇଫ ଜ୍ୟାକେଟ, ଅତ୍ୟାବଶ୍ୟକ ଚିକିତ୍ସା ସୁବିଧା, ଆକସ୍ମିକ ଦୁର୍ଘଟଣା ସୂଚନା ପ୍ରଦାନ ପାଇଁ ଯୋଗାଯୋଗ ବ୍ୟବସ୍ଥା ସବୁ ନୌକାରେ ରଖିବାର ନିୟମ ଥିବାବେଳେ କୌଣସି ସରକାରୀ କିମ୍ବା ଘରୋଇ ନୌକାରେ ଏହି ସବୁ ବ୍ୟବସ୍ଥା ନ ଥିବାରୁ ଶନିବାର ହୋଇଥିବା ଦୁର୍ଘଟଣାରେ ଛଅଟି ମୂଲ୍ୟବାନ ଜୀବନ ସଲିଳ ସମାଧି ନେଇଥିବା ବେଳେ ଅନ୍ୟମାନେ ଶାରୀରିକ ଓ ମାନସିକ ଭାବେ ଆଘାତପ୍ରାପ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ଡଙ୍ଗାରେ ଲାଇଫ୍‍ ଜ୍ୟାକେଟ୍‍ ନ ଥିବା ଡଙ୍ଗାଯାତ୍ରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି, ଉଦ୍ଧାର କାର୍ଯ୍ୟବେଳେ ଲୋକଙ୍କ ଉପରକୁ ଲାଇଫ୍‍ ଜ୍ୟାକେଟ୍‍ ପକାଯାଇଥିଲା; କିନ୍ତୁ ସେମାନଙ୍କ ଭିତରେ ଅଧିକାଂଶ ଶିଶୁ ଥିବାରୁ ଏସବୁ ବ୍ୟବହାର କରି ପାରି ନ ଥିଲେ। ଆମେ ଏହି ଘଟଣାର ଅନୁଧ୍ୟାନ କରୁଛୁ। ସରକାର ସବୁ ପଞ୍ଜିକୃତ ଡଙ୍ଗା ପାଇଁ ଲାଇଫ୍‍ ଜ୍ୟାକେଟ ବ୍ୟବସ୍ଥା କରିଛନ୍ତି; କିନ୍ତୁ ଡଙ୍ଗା ମାଲିକ ସେସବୁ ରଖୁନାହାନ୍ତି। ବାଲୁଗାଁରେ ପ୍ରାୟ ୩୦୦ ଡଙ୍ଗା ଚାଲୁଥିବାବେଳେ ଆଜିଠାରୁ ସବୁ ଘରୋଇ ଡଙ୍ଗା ଚଳାଚଳ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave A Reply