ଲୋକଙ୍କ ଆଶା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ

ନବନିଯୁକ୍ତ ଏଏସଓଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର : ସମାଜ ଦ୍ରୁତ ଗତିରେ ବଦଳୁଛି । ନାଗରିକମାନେ ଡ଼ିଜିଟାଲ ଦୁନିଆ ସହିତ ସଂଯୋଜିତ ହେଉଛନ୍ତି। ସେମାନଙ୍କ ଆଶା ଆକାଂକ୍ଷା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରଶାସନିକ ଢ଼ାଞ୍ଚାରେ ପରିବର୍ତ୍ତନ ଆଣୁଛନ୍ତି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବୃତ୍ତିଗତ ଯୋଗ୍ୟତା ହାସଲ କରିଥିବାରୁ ଅଭିନବ ଉପାୟରେ କାର୍ଯ୍ୟ ପରିଚାଳନା କରିବା ସହିତ ଲୋକଙ୍କ ଆଶାପୂରଣ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ବିଭିନ୍ନ ବିଭାଗରେ ନୂତନ ଭାବେ ନିୟୋଜିତ ଯୁବ ସହକାରୀ ଉପବିଭାଗୀୟ ଅଧିକାରୀ(ଏଏସଓ)ଙ୍କୁ ‌ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏଭଳି ଆହ୍ବାନ ଦେଇଛନ୍ତି।
ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନବନିଯୁକ୍ତ ଏଏସଓମାନଙ୍କ ସହିତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆପଣମାନେ ଇଞ୍ଜିନିୟରିଂ, ବ୍ୟବସାୟ ପରିଚାଳନା, ଆର୍ଥିକ ପରିଚାଳନା ଆଦି ବିଭିନ୍ନ ବୃତ୍ତିଗତ ବିଷୟରେ ଶିକ୍ଷାଲାଭ କରିଛନ୍ତି। ନିଜର ଜ୍ଞାନ ପ୍ରୟୋଗ ଦ୍ବାରା ସେବା ଯୋଗାଣ ତ୍ବରାନ୍ବିତ କରିବା ସହିତ ପ୍ରଶାସନିକ ସ୍ତରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଉଦ୍ୟମ କରିବା ଆବଶ୍ୟକ। ୫-ଟି ଆଧାରରେ ନିଷ୍ପତ୍ତି ଓ କାର୍ଯ୍ୟାନ୍ବୟନ ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରିହେବ ସେଥିପ୍ରତି ଯତ୍ନବାନ ହେବାକୁ ସେ ଆହ୍ବାନ ଦେଇଥିଲେ। ଓସ୍ବାସ,ଆଇଏଫଏମଏସ ଏବଂ ଏଚଆରଏମଏସ ଭଳି ଅନଲାଇନ ବ୍ୟବସ୍ଥା ମାଧ୍ୟମରେ କାମ କରିବାକୁ ନିର୍ଦେଶ ଦେଇଥିଲେ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ପ୍ରଚଳିତ ନିୟମ ଓ ପ୍ରକ୍ରିୟାର ପ୍ରକୃତ ଉଦ୍ଦେଶ୍ୟ ବୁଝି ତ୍ବରିତ ଗତିରେ ସେବା ଯୋଗାଣ ପାଇଁ ଅଭିନବ ଉପାୟମାନ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମିନା କାର୍ଯ୍ୟକ୍ଷେତ୍ରକୁ ସୁସଙ୍ଗଠିତ କରିବା ସହିତ ନିଜ ବିଭାଗର ରେକର୍ଡ଼, ଫାଇଲ ସୁବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରିବାକୁ ଏଏସଓମାନଙ୍କୁ ‌ପରାମର୍ଶ ଦେଇଥିଲେ। ଆଲୋଚନା କାଳରେ ମୁଖ୍ୟ ଶାସନ ସଚିବ ଏଏସଓମାନଙ୍କଠାରୁ ସେମାନଙ୍କ ଦାୟିତ୍ବ, କାର୍ଯ୍ୟ ପରିଚାଳନା, ଆବଶ୍ୟକ ସହାୟତା ଓ ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ। ଏଏସଓମାନେ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ଆଗକୁ କି ପ୍ରକାର ଲକ୍ଷ୍ୟ ରଖିଛନ୍ତି ସେ ବିଷୟରେ ମତ ରଖିଥିଲେ।

Comments are closed.