ଜିନ୍‌ ପରିବର୍ତ୍ତନ ପଦ୍ଧତି​ରେ ଫସଲ ଉତ୍ପାଦନ ପ୍ରସଙ୍ଗ; ରାଜ୍ୟଗୁଡ଼ିକର ମତାମତ ଆହ୍ବାନ କଲେ କମିଟି

ମୁମ୍ବଇ : ଦେଶର କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଫସଲ ଉତ୍ପାଦନ ପାଇଁ ଜିନ୍‌ ପରିବର୍ତ୍ତିତ ପଦ୍ଧତି (ଜିଏମ୍‌ କର୍ପସ୍‌) ପ୍ରବର୍ତ୍ତନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠିତ କମିଟି (କମିଟି ଅଫ ଚିଫ୍‌ ମିନିଷ୍ଟର୍ସ ଅନ୍‌ ଏଗ୍ରିକଲ୍ଚର) ବିଚାରବିମର୍ଶ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ବୈଠକ ସମ୍ପ୍ରତି ମୁମ୍ବଇଠାରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିନ୍‌ ପରିବର୍ତ୍ତିତ ଫସଲ ଚାଷ ପାଇଁ ଅନୁମତି ଦିଆଯିବ କି ନାହିଁ ତା’ଉପରେ ତୁରନ୍ତ, ଦୁଇ ସପ୍ତାହ ମଧ୍ୟରେ ମତାମତ ପ୍ରଦାନ ପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି। ଏହି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିବା ପ୍ରକାଶ। ଜିଏମ୍‌ ପଦ୍ଧତି ପ୍ରବର୍ତ୍ତନକୁ ବିଭିନ୍ନ ରାଜ୍ୟ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲାବେଳେ ଉପରୋକ୍ତ କମିଟି ଏହା ଉପରେ ଗୁରୁତ୍ବ ପ୍ରଦାନ କରୁଛି। ଜିନ୍‌ ପରିବର୍ତ୍ତନ ପଦ୍ଧତିରେ ଫସଲ ଉତ୍ପାଦନ ବୃଦ୍ଧି ପାଇପାରିବ ବୋଲି କମିଟି ମତବ୍ୟକ୍ତ କରୁଛି। ବିଶେଷ କରି ତୈଳବୀଜ ଫସଲ ଉତ୍ପାଦନ ଦେଶରେ କମ୍ ଥିବାରୁ ଏହି ପଦ୍ଧତି ଅନୁସରଣରେ ଏହାର ଉତ୍ପାଦନ ବୃଦ୍ଧି ପାଇଁ ବିଚାର କରାଯାଉଛି।

କମିଟି ମୁଖ୍ୟ ଫଡ଼ନବିସ୍‌ଙ୍କ କହିବାନୁସାରେ ‘ଦେଶରେ ତୈଳବୀଜ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ପଦ୍ଧତିର ଆବଶ୍ୟକତା ରହିଛି। ବିଦେଶରୁ ଆମେ ଏହା ଆମଦାନୀ କରୁଥିଲାବେଳେ ବହୁ ରାପ୍ତାନିକାରୀ ରାଷ୍ଟ୍ର ଜିନ୍‌ ପରିବର୍ତ୍ତନ ପଦ୍ଧତିରେ ତୈଳବୀଜ ଫସଲ ଚାଷ କରି ସଫଳତା ପାଉଛନ୍ତି। ଅତଏବ ଭାରତରେ ଜିନ୍‌ ପରିବର୍ତ୍ତନ ପଦ୍ଧତି ଅନୁସରଣ ମାଧ୍ୟମରେ ଫସଲ ଉତ୍ପାଦନ ବୃଦ୍ଧି ସପକ୍ଷରେ ସମ୍ମତି ପ୍ରକାଶ ପାଇବା ଆବଶ୍ୟକ। ଆମେ ଏ କ୍ଷେତ୍ରରେ ଅଭିଜ୍ଞ ହୋଇ ନ ଥିବାରୁ ଏହା ଭଲ କିମ୍ବା ଖରାପ କହିପାରିବା ନାହିଁ; କିନ୍ତୁ କିଛି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଏହାର ପ୍ରଚଳନ ଉପରେ ନିଷ୍ପତ୍ତି ନେଇପାରିବା।’ ଏହି ପରିପ୍ରେକ୍ଷୀରେ କମିଟି ପକ୍ଷରୁ ବୈଠକରେ ଉପସ୍ଥିତ ସଦସ୍ୟ ରାଜ୍ୟଙ୍କଠାରୁ ମତାମତ ଆହ୍ବାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅପ୍ରାକୃତିକ ଉପାୟରେ କୌଣସି ଶସ୍ୟବା ଫସଲର ଜିନ୍‌ (ଗୁଣସୂତ୍ର) ପରିବର୍ତ୍ତନ କରାଯାଇ ଏହାକୁ ଅଧିକ ଉତ୍ପାଦନକ୍ଷମ କରାଯିବା ପରିବେଶର ପରିପନ୍ଥୀ ଏବଂ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ସେ ଦୃଷ୍ଟିରୁ ଜିଏମ୍‌ ଫସଲ ପ୍ରବର୍ତ୍ତନକୁ ଭାରତରେ ବିରୋଧ କରାଯାଉଛି। ସୂଚନାନୁଯାୟୀ, ଓଡ଼ିଶା ସରକାର ଏହି ପଦ୍ଧତି ଆପଣାଇବା ସପକ୍ଷରେ ନାହାନ୍ତି। ପୂର୍ବରୁ ଏହାକୁ ରାଜ୍ୟ ସରକାର ବିରୋଧ କରିଛନ୍ତି; ଏଥର ମଧ୍ୟ ଏହି ପ୍ରସ୍ତାବକୁ ବିରୋଧ କରାଯିବ ବୋଲି ରାଜ୍ୟ କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି; କିନ୍ତୁ ସମ୍ପ୍ରତି କମିଟି ପକ୍ଷରୁ ପ୍ରେରିତ ପତ୍ରର କି ଉତ୍ତର ଦେବେ ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷରେ ପଞ୍ଜାବ ରାଜ୍ୟ ସରକାର ଏହି ପତ୍ର ପାଇବା ପରେ ପୂର୍ବପରି ଜିଏମ୍‌ ପଦ୍ଧତିକୁ ଅସ୍ବୀକାର ପୂର୍ବକ ଉତ୍ତର ଦିଆଯିବ ବୋଲି ସୂଚନା ଦେଇଛନ୍ତି।

ମୁମ୍ବଇରେ ଅନୁଷ୍ଠିତ ଉପରୋକ୍ତ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ରାଜ୍ୟ ଅର୍ଥମନ୍ତ୍ରୀ, ଉତ୍ତରପ୍ରଦେଶ ଓ ଓଡ଼ିଶାର କୃଷିମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ବ କରିଥିଲେ। ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ଇସିଏ)ରେ ମହତ୍ତ୍ବପୂର୍ଣ୍ଣ ସଂଶୋଧନ କରାଯିବ। ପ୍ରଚଳିତ ଏହି ଆଇନ ମାଧ୍ୟମରେ ଫସଲର ମହଜୁଦ ସୀମା ଧାର୍ଯ୍ୟ ବ୍ୟବସ୍ଥା ଯୋଗୁଁ ଫସଲର ଦର ବୃଦ୍ଧି ଯେମିତି ନ ହୁଏ ସେଥିପ୍ରତି ଏଥିରେ ଧ୍ୟାନ ଦିଆଯିବ। ଫସଲର ଦର ବୃଦ୍ଧି ସମୟରେ ରାଜ୍ୟ ସରକାରମାନେ ମନଇଚ୍ଛା ଇସିଏ କାର୍ଯ୍ୟକାରୀ କରିଆସୁଥିବାରୁ ସାମ୍ପ୍ରତିକ ପରିସ୍ଥିତିରେ ଏହା ଆବଶ୍ୟକ କି ନୁହେଁ ତାହା ବିଚାର କରାଯାଇଥିଲା। ରାଜ୍ୟଗୁଡ଼ିକ ଇସିଏର ଆବଶ୍ୟକତା ସପକ୍ଷରେ ମତ ଦେଇଥିଲେ; କିନ୍ତୁ ଏହାର ସଂଶୋଧନ ଦ୍ବାରା କୃଷକଙ୍କୁ ଲାଭ ପ୍ରଦାନ ପ୍ରତି ଧ୍ୟାନ ଦିଆଯିବା ଉପରେ ସମ୍ମତି ପ୍ରକାଶ ପାଇଥିଲା।

Comments are closed.