ପରମ୍ପରା ନାଁରେ ୨୨ଶିଶୁଙ୍କୁ ଚେଙ୍କ

0

ପାପଡ଼ାହାଣ୍ଡି, ୧୧ା୮ (ନି.ପ୍ର): ପରମ୍ପରା ନାଁରେ କଅଁଳ ଶିଶୁଙ୍କୁ ଚେଙ୍ଖ। ତାହା ପୁଣି ଚେଙ୍ଖ ସଚେତନତା ସୃଷ୍ଟିରେ ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ହାତେଇଥିବା ନବରଙ୍ଗପୁର ଜିଲାରେ। ନବରଙ୍ଗପୁର ଜିଲା ସଦର ମହକୁମାରୁ ଦଶ କିମି ଦୂର ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାର ଭୀମା ସାହି ଓ ଖଡରା ସାହିରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି। ପରମ୍ପରା ନାଁରେ ଏଠି ୨୨ଜଣ ଶିଶୁଙ୍କୁ ଚେଙ୍ଖ ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ସାତମାସର ଶିଶୁକନ୍ୟା ଥିବା ଜଣାଯାଇଛି।
ଚିତାଲାଗି ଅମାବାସ୍ୟାରେ ଶିଶୁଙ୍କୁ ଚେଙ୍ଖ ଦେଲେ ସ୍ୱାସ୍ଥ୍ୟ ଭଲ ରହେ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ବରକୋଳି ଗଛ କାଠିରେ ୨୨ଜଣଙ୍କୁ ଚେଙ୍ଖ
ଦିଆଯାଇଛି। ଉଭୟ ସାହିରେ ଆଜି ବଡ଼ି ଭୋର୍‍ରୁ ସମସ୍ତଙ୍କ ଜାଣତରେ ଏଭଳି ଚେଙ୍ଖ ଦିଆ ପର୍ବ ଆରମ୍ଭ ହୋଇଥିଲା। କଅଁଳ ପିଲାମାନେ ତତଲା ଚେଙ୍ଖରେ ଚିତ୍କାର ଛାଡ଼ୁଥିଲେ ମଧ୍ୟ ପିତାମାତା ପରମ୍ପରା ନାଁରେ ଏସବୁ ସହିଯାଇଥିଲେ। ଖବର ପାଇ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଚନ୍ଦ୍ରମା ମହାରାଣା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଚେଙ୍ଖ ଦେବା ଲାଗି ବାରଣ କରିଥିଲେ। ଫଳରେ ଚେଙ୍ଖ ନେବାକୁ ଥିବା ବଳକା ପ୍ରାୟ ୫୦ ପିଲା ଏଭଳି ଚେଙ୍ଖ ଖାଇବାରୁ ବର୍ତ୍ତିଯାଇଛନ୍ତି। ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଚେଙ୍ଖ ଖିଆ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସମସ୍ତେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ସ୍ଥାନୀୟ ଲୋକ ଏହାକୁ ପରମ୍ପରା ବୋଲି କହିଛନ୍ତି।

Leave A Reply