ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଚେନ୍ନାଇଠାରେ ନବନିର୍ମିତ ଓଡ଼ିଶା ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଉଦ୍‍ଘାଟନ କରିଛନ୍ତି। ତାମିଲନାଡ଼ୁ ଏବଂ ଓଡ଼ିଶା ମଧ୍ୟରେ ଉତ୍ତମ ସମ୍ପର୍କ ରହି ଆସିଥିବା ବେଳେ ନବ ନିର୍ମିତ ଓଡ଼ିଶା ଭବନ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ.ପିଲାନୀସ୍ୱାମୀଙ୍କ ସମେତ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍‍, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚେନ୍ନଇ ଦେଶର ଏକ ପ୍ରମୁଖ ମହାନଗର ହୋଇଥିବା ବେଳେ ବ୍ୟବସାୟ, ଚାକିରି ଏବଂ ନିଯୁକ୍ତି ଆଶାରେ ଏଠାକୁ ଓଡ଼ିଶାର ବହୁ ସଂଖ୍ୟକ ଲୋକ ଆସିଥାନ୍ତି। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ବହୁ ସଂଖ୍ୟକ ତାମିଲ ଲୋକ ବସବାସ କରିବା ସହ ଆର୍ଥିକ ସମୃଦ୍ଧି ହାସଲ ଦିଗରେ ପରସ୍ପରକୁ ସହଯୋଗ କରୁଛନ୍ତି। ଦେଶର ସାଂସ୍କୃତିକ ମାନଚିତ୍ରରେ ତାମିଲନାଡ଼ୁର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଦେଶର ବିକାଶରେ ଏ ରାଜ୍ୟର ଜନସାଧାରଣଙ୍କର ବିଶେଷ ଅବଦାନ ରହିଛି। ଏଠାରେ ଥିବା ଓଡ଼ିଶା ଭବନ ଲୋକଙ୍କୁ ଆଶ୍ରୟ ପ୍ରଦାନ କରିବା ସହିତ ଓଡ଼ିଶାର କଳା ସଂସ୍କୃତି, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବ। ଚେନ୍ନଇଠାରେ ଓଡ଼ିଶା ଭବନ ନିର୍ମାଣ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ. ଜୟଲଳିତାଙ୍କ ସହିତ ତାମିଲନାଡ଼ୁ ସରକାରଙ୍କ ପ୍ରଶଂସା କରିଥିଲେ। ଏହି ଭବନ ଓଡ଼ିଶା ସରକାରଙ୍କ ବିଭିନ୍ନ ସଂସ୍ଥାର ଯୋଗାଯୋଗ କ୍ଷେତ୍ରରେ କେନ୍ଦ୍ରସ୍ଥଳ ହେବ ବୋଲି ସେ କହିଥିଲେ। ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡ଼ିଶା ଭବନର ୬ ମହଲା ବିଶିଷ୍ଟ କୋଠାରେ ୧୬ଟି ଡବଲ୍‍ ବେଡ୍‍ ରୁମ୍‍ ସହ ୫ଟି ସିଙ୍ଗଲ ବେଡ୍‍ ରୁମ୍‍ ଏବଂ ୩୦୦ ଲୋକ ବସିପାରିବା ଭଳି ପ୍ରେକ୍ଷାଳୟ ରହିଛି। ୨୦୧୨, ମେ ୧୧ରେ ଏହାର ଶିଳାନ୍ୟାସ କରାଯାଇଥିଲା। ଭବନର ନିର୍ମାଣ କାର୍ଯ୍ୟ ଯଥା ସମୟରେ ଶେଷ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ଏବଂ ତାମିଲନାଡ଼ୁ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ନୂଆଦିଲ୍ଲୀଠାରେ ତିନିଟି ଓଡ଼ିଶା ଭବନ ଥିବା ବେଳେ ମୁମ୍ବଇ ଏବଂ କଲକାତାରେ ଗୋଟିଏ ଲେଖାଏଁ ଓଡ଼ିଶା ଭବନ ରହିଛି। ଏହା ହେଉଛି ୬ଷ୍ଠ ଓଡ଼ିଶା ଭବନ।

Leave A Reply