ସୋନାକ୍ଷୀଙ୍କ ନାଁରେ ଟଙ୍କା ଠକେଇ ଅଭିଯୋଗ

0

ମୁରାଦାବାଦ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଟଙ୍କା ଠକେଇ ଅଭିଯୋଗ ଆସିଛି। ସୋନାକ୍ଷୀ ଏବଂ ଅନ୍ୟ ୫ ଜଣ ଜଣେ ବ୍ୟକ୍ତିଙ୍କଠାରୁ ୩୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଅଭିଯୋଗକାରୀ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଘଟଣାଟି ପଦାକୁ ଆସିଛି। ଏହା ପରେ କଟଘର ଥାନାରେ ସୋନାକ୍ଷୀ ଏବଂ ଅନ୍ୟ ୫ ଜଣଙ୍କ ନାମରେ ଏତଲା ଦାୟର କରାଯାଇଛି ବୋଲି ବରିଷ୍ଠ ଏସପି ଜେ. ରବିନ୍ଦର ଗୌଡ କହିଛନ୍ତି।

ସୂଚନା ଅନୁଯାୟୀ, କଟଘର ଅନ୍ତର୍ଗତ ଶିବପୁରୀର ପ୍ରମୋଦ ଶର୍ମା ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ସେ ଇଣ୍ଡିଆ ଫ୍ୟାଶନ ଏବଂ  ବ୍ୟୁଟି ଆୱାର୍ଡ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ ସୋନାକ୍ଷୀଙ୍କୁ ଆଣିବା ଲାଗି ସେ ଏକ ସଂସ୍ଥା କର୍ତ୍ତୃପକ୍ଷ ଅଭିଷେକ ସିହ୍ନାଙ୍କୁ ୩୭ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ଅଭିଷେକ ଅନ୍ୟ ଏକ ସଂସ୍ଥା ଏକ୍ସିଡ୍‌ ଏଣ୍ଟରଟେନମେଣ୍ଟ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ସମ୍ପୃକ୍ତ ସଂସ୍ଥା ସୋନାକ୍ଷୀଙ୍କ ମ୍ୟାନେଜରଙ୍କ ସହ କଥା ହେବା ପରେ ସୋନାକ୍ଷୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସମ୍ମତି ଜଣାଇଥିଲେ। ଫଳରେ ତାଙ୍କ ଆକାଉଣ୍ଟକୁ ୪ ଲକ୍ଷ ଟଙ୍କା ପଠାଯାଇଥିଲା। ସୋନାକ୍ଷୀ ମଧ୍ୟ ନିଜେ କାର୍ଯ୍ୟକ୍ରମକୁ ଆସିବେ ବୋଲି ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରିଥିଲେ। କିନ୍ତୁ ଗତ ସେପ୍ଟେମ୍ବରରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ସୋନାକ୍ଷୀ ଆସି ନ ଥିଲେ। ଏହା ପରେ ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ପଦକ୍ଷେପ ନ ନେବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରମୋଦ କହିଛନ୍ତି।

Leave A Reply