ଅଣରିଆତି ଏଲପିଜି ସିଲିଣ୍ଡର ଦାମରେ ୬୨ ଟଙ୍କା ୫୦ ପଇସା ହ୍ରାସ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦାମ ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ବଜାରରେ ପଡିଛି। ଏହି କ୍ରମରେ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା ହ୍ରାସ ପାଇଛି। ଏହା ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି।

ଭାରତୀୟ ତୈଳ ନିଗମ (ଆଇଓସି)ର ସୂଚନା ଅନୁସାରେ ଅଣରିଆତି ବା ବଜାରରେ ବିକ୍ରି ହେଉଥିବା ଏଲପିଜି ସିଲିଣ୍ଡର ଦାମ ୬୨ ଟଙ୍କା ୫୦ ପଇସା ହ୍ରାସ ପାଇ ଏବେ ୫୪୭ ଟଙ୍କା ୫୦ ପଇସା ରହିଛି। ନୂଆ ଦର ବୁଧବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି। ରିଆତି ୧୨ ସିଲିଣ୍ଡର କୋଟା ଶେଷ ହେବା ପରେ ଲୋକେ ବଜାରରୁ ଅଣରିଆତି ସିଲିଣ୍ଡର କିଣିଥାନ୍ତି। ଏହା ପୂର୍ବରୁ ଜୁଲାଇ ପ୍ରଥମ ସପ୍ତାହରେ ଅଣରିଆତି ଏଲପିଜି ସିଲିଣ୍ଡର ଦାମ ୧୦୦ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା। ଏହାକୁ ମିଶାଇ ଜୁଲାଇରେ ଅଣରିଆତି ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୬୩ ଟଙ୍କା ହ୍ରାସ ଘଟିଛି। ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦର ହ୍ରାସର ପ୍ରଭାବ ରିଆତି ଏଲପିଜି ସିଲିଣ୍ଡର ଦାମ ଉପରେ ପଡିବ। ଫଳରେ ଉପଭୋକ୍ତାଙ୍କୁ ଅଗଷ୍ଟରେ ୧୪.୨ କିଲୋର ରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ପାଇଁ ୫୪୭ ଟଙ୍କା ୫୦ ପଇସା ଦେବାକୁ ପଡ଼ିବ। ଜୁଲାଇରେ ରିଆତି ଏଲପିଜି ସିଲିଣ୍ଡର ପାଇଁ ଉପଭୋକ୍ତାଙ୍କୁ ୬୩୭ ଟଙ୍କା ଦେବାକୁ ପଡୁଥିଲା।

Comments are closed.