୫୦୦ ମିଟର ଉଚ୍ଚତାରୁ ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲ୍ୟାଣ୍ଡିଂ’ କରିଥିଲା ବିକ୍ରମ : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ବିଜ୍ଞାନ ଓ ବୈଷୟିକଜ୍ଞାନ ଦୃଷ୍ଟିରୁ ଚନ୍ଦ୍ରଯାନ-୨ ମିଶନ୍‍ ସଫଳ ଥିଲା ବୋଲି ସରକାର କହିଛନ୍ତି । ଚନ୍ଦ୍ରଯାନ-୨ରୁ ଲ୍ୟାଣ୍ଡର ବିକ୍ରମ ୫୦୦ ମିଟର ଉଚ୍ଚତାରୁ ‘ହାର୍ଡ ଲ୍ୟାଣ୍ଡିଂ’ କରିଥିଲା, କିନ୍ତୁ ୨.୧ କିମି. ପୂର୍ବରୁ ତା’ସହ ସଂପର୍କ ଛିନ୍ନ ହୋଇଥିଲା । ମାହାକାଶ ବିଭାଗ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହିଁ ‘ହାର୍ଡ ଲ୍ୟାଣ୍ଡିଂ’ କରିଛି ବୋଲି ସେ କହିଛନ୍ତି। ତେବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ଲ୍ୟାଣ୍ଡର ବିକ୍ରମର ଗତି ନିର୍ଦ୍ଧାରିତ ସୀମା ଅନୁସାରେ ନ ଥିଲା। ଶ୍ରୀ ସିଂହ କହିଛନ୍ତି ୫୦୦ ମିଟର ଉଚ୍ଚରୁ ହିଁ ବିକ୍ରମ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିଲା।
ଏକ ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ, ବିକ୍ରମ ଅବତରଣ କରିବା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଠାରୁ ୩୦କିମି. ରୁ ୭.୪ କିମି. ଉଚ୍ଚତା ପର୍ଯ୍ୟନ୍ତ ଆସିବା ଯାଏ ସବୁକିଛି ଠିକ୍‍ ଥିଲା। ଏହି ସମୟରେ ବିକ୍ରମର ଗତି ସେକେଣ୍ଡ ପ୍ରତି ୧୬୮୩ ମିଟରରୁ ହ୍ରାସ ପାଇ୧୪୬ ମିଟରକୁ ଆସିଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମର ବେଗ ପୂର୍ବ ନିର୍ଦ୍ଧାରିତ ସମୟ ସୀମା ଠାରୁ ବହୁତ ଅଧିକ ଥିଲା । ଲ୍ୟାଣ୍ଡରର ଏହି ଅସାଧାରଣ ଗତିବିଧି ଯୋଗୁଁ ସେହି ପରିସ୍ଥିତିରେ ପରିବର୍ତ୍ତନ ଆସିଯାଇଥିଲା। ଯାହାଦ୍ୱାରା ‘ସଫ୍ଟ ଲ୍ୟାଣ୍ଡିଂ’ ବା ସୁକ୍ଷ୍ମ ଅବତରଣ ହୋଇପାରିଲା ନାହିଁ ଏବଂ ୫୦୦ମିଟର ଉଚ୍ଚତାରୁ ବିକ୍ରମ ‘ହାର୍ଡ ଲ୍ୟାଣ୍ଡିଂ’ କରିଥିଲା।

ମନ୍ତ୍ରୀ କହିଛନ୍ତି, ଏହି ମିଶନ୍‍ ବିଫଳ ହୋଇଛି ବୋଲି କହିବା ଠିକ୍‍ ହେବ ନାହିଁ । କାରଣ ଆମେରିକା ୮ଥର ଚେଷ୍ଟା କରି ଏହି ଲକ୍ଷ୍ୟ ହାସଲ କରିଥିଲା।
ଅଭିଯାନରୁ ମିଳିଥିବା ସଫଳତା
ଏହି ଅଭିଯାନ ସମୟରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ଉତକ୍ଷେପଣ, ତା’ର କକ୍ଷପଥ ପରିବର୍ତ୍ତନ, ଅର୍ବିଟରରୁ ଲ୍ୟାଣ୍ଡରକୁ ପୃଥକ କରିବା, ଡି-ବୁଷ୍ଟିଙ୍ଗ ଆଦି ଅନେକ କ୍ଷେତ୍ରରେ ସଫଳତା ମିଳିଛି। ଆଗାମୀ ମିଶନରେ ଏହି ଅନୁଭବ କାର୍ଯ୍ୟ ଦକ୍ଷତାକୁ ଆହୁରି ଆଗକୁ ଗତିଶୀଳ କରାଇବ।

Comments are closed.