ପୁଣି ଚକଡା ଚିନ୍ତାରେ ଚାଷୀ

0

ବଲାଙ୍ଗୀର: ପୁଣି ଫେରିଛି ଚକଡା ପୋକ, ଚିନ୍ତାରେ ଏବେ ଚାଷୀ । ଗତବର୍ଷ ଭଳି ଏବର୍ଷ ମଧ୍ୟ ଚକଡା ପୋକ ଯୋଗୁଁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍‌ରୁ ଆସିଛି । ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ଚକଡା ପୋକ ତାର କାୟା ବିସ୍ତାର କରିବାରେ ଲାଗିଛି । ଯାହାକୁ ନେଇ ଏବେ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ଏନେଇ କୃଷି ଅଧିକାରୀଙ୍କ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି ।

ଚକଡା ପୋକ ଲାଗିଥିବା ଧାନ ଗଛ ନେଇ ଚାଷୀମାନେ କୃଷି ବିଭାଗ କାର୍ଯ୍ୟାଳୟ ଯାଇଥିଲେ । କୃଷି ଅଧିକାରୀ କ୍ଷେତକୁ ନଆସି ଔଷଧ କିଣି କ୍ଷେତରେ ପକାଇବାକୁ ଚାଷୀଙ୍କୁ ପରାମର୍ଶ ଦେଇ ପଠାଇଥିଲେ । ପରେ ଚାଷୀମାନେ ସେହି ଔଷଧ କିଣି କ୍ଷେତରେ ପ୍ରୟୋଗ କରିଥିଲେ ମଧ୍ୟ ଚକଡ଼ା ପୋକ ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଆହୁରି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତବର୍ଷ ବଲାଙ୍ଗୀର ଜିଲାରେ ଚକଡା ପୋକ ଯୋଗୁ ଫସଲ ନଷ୍ଟ ହେବା କାରଣରୁ ଅନେକ ଚାଷୀଙ୍କୁ ପ୍ରାଣ ହରାଇବାକୁ ପଡିଥିଲା। ଫସଲ ଉଜୁଡି ଯିବାରୁ ବୃନ୍ଦା ସାହୁ ନାମକ ଜଣେ ​‌ଚାଷୀ ଫସଲରେ ନିଆଁ ଲଗାଇବା ପରେ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଯାହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିଲା। ବୃନ୍ଦା ସାହୁ ଘରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସୁଅ ଛୁଟିଥିଲା । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ପୁଅ ଓ ଝିଅଙ୍କ ପାଠପଢା ଖର୍ଚ୍ଚ ତୁଲାଇବେ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ସେହିପରି ସମ୍ବଲପୁରରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିମା ରାଶି ପ୍ରଦାନ ଦାବିରେ ଚାଷୀସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି ।

Leave A Reply