ପ୍ରତିଷ୍ଠା ହେବ ସେଣ୍ଟର ଅଫ୍ ଏକ୍ସଲେନ୍ସ

ନାଲ୍‌କୋ, ଏନ୍ଆଇଟି ରାଉରକେଲା ଓ ଏନ୍ଆଇଟିଆରଏଏ ଏମ୍‌ଓୟୁ

ଷ୍ଟାର୍ଟ-ଅପ୍ କମ୍ପାନୀରେ ଉଦ୍ୟମିତାକୁ ପ୍ରୋତ୍ସାହନ

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନାଲ୍‌କୋ ପକ୍ଷରୁ ଏନ୍ଆଇଟି, ରାଉରକେଲା ଏବଂ ଏନ୍ଆଇଟି ରାଉରକେଲା ଆଲୁମିନି ଆସୋସିଏସନ୍ (ଏନ୍ଆଇଟିଆର୍ଏଏ) ସହ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ବୈଷୟିକ ବିଦ୍ୟା ସମ୍ବଳିତ ଷ୍ଟାର୍ଟ-ଅପ୍‌ଗୁଡ଼ିକରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦକତା ଏବଂ ସେବା ପ୍ରଦାନରେ ପ୍ରତିଦ୍ୱନ୍ଦିତା ଭାବ ବୃଦ୍ଧି କରିବା ନିମନ୍ତେ ସହବନ୍ଧନ ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ। ଅଗ୍ରଣୀ ଆଲୁମିନିୟମ୍ ଉତ୍ପାଦନକାରୀ ନାଲ୍‌କୋ, ଏନ୍ଆଇଟି ରାଉରକେଲା ଏବଂ ଏନ୍ଆଇଟିଆର୍ଏଏ ମଧ୍ୟରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରଟି ଆଇଆଇଟି, ଆଇସିଟି ଏବଂ ଡିଏସ୍‌ଟି ସହଯୋଗରେ ଉଦ୍ୟମିତା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ଗବେଷଣା ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସହ ସହଭାଗିତା ସୃଷ୍ଟି କରିବ। ଏହା ଦ୍ୱାରା ସୃଜନଶୀଳତା, ନବୀନତା ସହ ବିଭିନ୍ନ ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଆବଶ୍ୟକତା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ମନୋଭାବ ବୃଦ୍ଧି ପାଇବ। ଏହି ଇନ୍‌କ୍ୟୁବେସନ୍ ସେଣ୍ଟର ଗୋଠପାଟଣାସ୍ଥିତ ନାଲ୍‌କୋର ରିସର୍ଚ୍ଚ ଟ୍ରେନିଂ ସେଣ୍ଟରଠାରେ ଅବସ୍ଥାପିତ ହେବ, ଯେଉଁଠାରେ ନାଲ୍‌କୋ ପକ୍ଷରୁ ଆଲୁମିନିୟମ୍ ଉଦ୍ୟୋଗର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଏକ ବିଶ୍ୱସ୍ତରୀୟ ଗବେଷଣା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ଏହି ନୂତନ ପଦକ୍ଷେପର ପ୍ରଶଂସା କରି କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. କେ. ରାଜେଶ୍ୱର ରାଓ ନାଲ୍‌କୋ, ଏନ୍ଆଇଟି, ରାଉରକେଲା ଏବଂ ଏନ୍ଆଇଟିଆର୍ଏଏକୁ ନୂତନ ଚିନ୍ତାଧାରା ଏବଂ ଅଭିନବ କାର୍ଯ୍ୟଶୈଳୀର ସୃଷ୍ଟି ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ, ନାଲ୍‌କୋ ପକ୍ଷରୁ ଏହାର ୫୦ ଜଣ କର୍ମଚାରୀଙ୍କୁ ‘ଉତ୍କର୍ଷତା ପୁରସ୍କାର’ ପ୍ରଦାନ କରାଯାଇଥିଲା। କର୍ମକ୍ଷେତ୍ରରେ ଉଚ୍ଚସ୍ତରର ପ୍ରଦର୍ଶନ, ବୃତ୍ତିଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏହି ପୁରସ୍କାରର ଉଦ୍ଦେଶ୍ୟ। ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଲେ, କର୍ମଚାରୀଙ୍କ କଠିନ ଅଧ୍ୟବସାୟ ଏବଂ ନିଷ୍ଠା ହେତୁ କମ୍ପାନୀ ଉତ୍ପାଦନ, ଉତ୍ପାଦକତା ଏବଂ ଆର୍ଥିକ ଲାଭ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି।

Comments are closed.