‘ବୁଲବୁଲ’ କ୍ଷୟକ୍ଷତି ଆକଳନ : ୧୪ରେ ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ‘ବୁଲବୁଲ’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୪ ତାରିଖରେ କେନ୍ଦ୍ରୀୟ ଟିମ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ଇତିମଧ୍ୟରେ ବାତ୍ୟା ପ୍ରଭାବିତ ଜିଲାରେ ବିଦ୍ୟୁତ୍ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଜୋରସୋର ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ସ୍ବାଭାବିକ ହେବ ବୋଲି ସେ କହିଛନ୍ତି।
‘ବୁଲବୁଲ’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଧାନ ଓ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ କ୍ଷୟକ୍ଷତିର ଆକଳନ ନିମନ୍ତେ କେନ୍ଦ୍ରୀୟ ଟିମ ପଠାଇବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ।
ସୋମବାର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନ୍ୟାସନାଲ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି ବୈଠକରେ ଓଡ଼ିଶା ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆସୁଥିବାବେଳେ ଯେଉଁ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟାହତ ହୋଇଛି ସେଠାରେ ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଚାଲିଛି।
ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରଭାବିତ ଜିଲାଗୁଡ଼ିକୁ ଅତିରିକ୍ତ ଖାଦ୍ୟସାମଗ୍ରୀ, ପାନୀୟ ଜଳ, ସ୍ବାସ୍ଥ୍ୟସେବା ସହିତ ବିଦ୍ୟୁତ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ସବୁ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ ‘ବୁଲବୁଲ’ ପ୍ରଭାବରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ସମେତ ୬ଟି ଜିଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟିଛି। କ୍ଷୟକ୍ଷତି ଆକଳନ କରି ଆସନ୍ତା ୧୮ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଭାବିତ ଜିଲାର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.