ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍, ଭଦ୍ରକ ଏବଂ କେନ୍ଦ୍ରାପଡାରେ କରିବେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ବର: ଗୁରୁବାର ସାମୁଦ୍ରିକ ଝଡ଼ ବୁଲବୁଲରେ କ୍ଷତିଗ୍ରସ୍ତ ଓଡିଶା ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ଆସନ୍ତାକାଲି ଅପରାହ୍ନ ୧ଟାରେ ୭ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଭଦ୍ରକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯିବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ଅର୍ଥାତ ୧୫ ତାରିଖ ସକାଳେ କେନ୍ଦ୍ରୀୟ ଦଳ କେନ୍ଦ୍ରାପଡାର କ୍ଷତିଗ୍ରସ୍ଥ ଅଞ୍ଚଳ ପରିଦର୍ଶନ କରିବାପରେ ଅପରାହ୍ନରେ ଭୁବନେଶ୍ବର ଫେରିବେ। ଏହାପରେ ଭୁବନେଶ୍ବରରେ ଅପରାହ୍ନ ୫.୩୦ରେ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଯୋଗଦେବେ। ଏହି ୭ ଜଣିଆ ପ୍ରତିନିଧି ଦଳ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ବରେ ପରିଦର୍ଶନ କରିବେ ।

ଏହି ଟିମରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର କନ୍ସଲଟାଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସଏସ୍ ମୋଦି, କେନ୍ଦ୍ରୀୟ ଜଳ ଆୟୋଗର ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍ ସିଂ, କୃଷି ବିଭାଗର ପାଟନାସ୍ଥିତ ଡିଆରଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଓ ସଡ଼କ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ସାମିଲ୍ ଅଛନ୍ତି।

Comments are closed.