ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଧାମରା: ବୁଲବୁଲ ସପ୍ତାହକ ପରେ କ୍ଷୟକ୍ଷତିର ଆକଳନ ପାଇଁ ଆଜି କେନ୍ଦ୍ରୀୟଟିମ୍ ଅପରାହ୍ଣ ପ୍ରାୟ ୫ଟାରେ ଭଦ୍ରକ ଜିଲାର ଧାମରାରେ ପହଞ୍ଚିଛନ୍ତି। ସେମାନେ ଜାଗୁଳା ଗ୍ରାମ ପଞ୍ଚାୟତର କ୍ଷତିଗ୍ରସ୍ତ ବଳଭଦ୍ର ପ୍ରସାଦ ଗାଁ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧି ଦଳଙ୍କୁ ନଷ୍ଟ ହୋଇଥିବା ଧାନଗଛ ଦେଖାଇଲେ। ଫଳରେ ଧାମରାରେ ଧାନଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବା କଥା ପ୍ରତିନିଧି ଦଳ ଅନୁଭବ କଲେ। ସୂଚନାଯୋଗ୍ୟ ଝଡର ସପ୍ତାହକ ପରେ ମଧ୍ୟ ଚାନ୍ଦବାଲି ବ୍ଳକର ଅଧିକାଂଶ ଅଞ୍ଚଳରେ ବିଜୁଳି ଓ ପାଇପ ଯୋଗେ ପାନୀୟଜଳ ଯୋଗାଣ ସ୍ୱଭାବିକ ହୋଇପାରିନାହଁ। ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଆରଡ଼ିସି ଅନୀଲ କୁମାର ସାମଲ ପୂର୍ବରୁ ଚାନ୍ଦବାଲି ବ୍ଲକ ଗ୍ରସ୍ଥ କରି କ୍ଷୟକ୍ଷତି ଓ ଉଦ୍ଧାର କାର୍ୟ୍ୟ ସମୀକ୍ଷା କରିଛନ୍ତି। ଆଜିର ଗସ୍ତ ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁ୍ଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ବରେ ଆନ୍ତଃ-ମନ୍ତ୍ରଣାଳୟ ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କନ୍ସଲଟା ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସ୍.ଏସ୍. ମେ।ଦି, କେନ୍ଦ୍ରୀୟ ଜଳ ଆୟୋଗ ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍ ସିଂ, କୃଷି ବିଭାଗ ପାଟଣା ସ୍ଥିତ ଡିଆର୍ଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଓ ସଡ଼କ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ର ଆଂଚଳିକ ଅଧିକାରୀ ସୁନୀଲ୍ କୁମାର ସାମିଲ ଅଛନ୍ତି। ସେମାନେ ଆଜି ଧାମରାରେ ଅବସ୍ଥାନ କରିବେ ବୋଲି ସୂଚନା ମିଳିଛି। ସେମାନଙ୍କ ସହିତ ଆରଡିସି ଶ୍ରୀ ସାମଲ, କୃଷି ଉପନିର୍ଦ୍ଦେଶକ କିରଣ କୁମାର ପରିଡା, ଏଡିଏମ ଶ୍ୟାମାଭକ୍ତ ମିଶ୍ର, ଉପଜିଲାପାଳ ପିତାମ୍ବର ସାମଲ, ବାସୁଦେବପୁର ବିଡିଓ ପ୍ରଣବ ବେହେରା, ଚାନ୍ଦବାଲି ବିଡିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ସତ୍ୟଜିତ ରାଉତ, ରାଜସ୍ୱ ସୁପରଭାଇଜର ଦାଶରଥୀ ଦାସ ଓ ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.