ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ଅଛି, ଲୋକଙ୍କୁ କିଲୋ ପ୍ରତି ୨୪ ଟଙ୍କାରେ ଯୋଗାଇ ଦିଆଯିବ: ରାମବିଳାସ

ନୂଆଦିଲ୍ଳୀ : ପିଆଜର ବର୍ଦ୍ଧିତ ଦରକୁ ନେଇ ଚିନ୍ତିତ ଲୋକଙ୍କୁ ବୁଧବାର କେନ୍ଦ୍ର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ ଆଶ୍ୱସ୍ତି ଦେଇଛନ୍ତି। କେନ୍ଦ୍ର ସରକାର ଲୋକଙ୍କୁ କିଲୋ ପ୍ରତି ୨୪ ଟଙ୍କାରେ ପିଆଜ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ପାଶୱାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ରହିଛି। କେନ୍ଦ୍ର ତ୍ରିପୁରାକୁ ୧,୮୫୦ ଟନ, ହରିୟାଣାକୁ ୨,୦୦୦ ଟନ ଏବଂ ଆନ୍ଧପ୍ରଦେଶକୁ ୯୬୦ ଟନ ପିଆଜ କିଲୋ ପ୍ରତି ୧୫ ଟଙ୍କା ୫୯ ପଇସାରେ ଯୋଗାଇ ଦେଇଛି। ଉପଭୋକ୍ତାଙ୍କୁ ଏହି ପିଆଜ ଅଧିକତମ ୨୩ ଟଙ୍କା ୯୦ ପଇସାରେ ଯୋଗାଇ ଦିଆଯିବ। ଦିଲ୍ଲୀ ସରକାର ସେପ୍ଟେମ୍ବର ୨୮ରୁ ୫ ଦିନ ପର୍ଯ୍ୟନ୍ତ ଦିନକୁ ୧୦୦ ଟନ ଲେଖାଏଁ ପିଆଜ ମାଗିଛନ୍ତି ଓ ଏହା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଯେଉଁ ରାଜ୍ୟକୁ ଯେତେ ପିଆଜ ଆବଶ୍ୟକ ପଡ଼ିବ ତାହା ଯୋଗାଇ ଦିଆଯିବ। ଏହା ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ପିଆଜ ଦରକୁ ନିୟନ୍ତ୍ରିତ କରିବା ପାଇଁ ଅରବିନ୍ଦ କେଜରିୱାଲଙ୍କ ସରକାର ବଡ଼ ପଦକ୍ଷେପ ନେଇଥିଲେ। ୧୦ ଦିନ ପର୍ଯ୍ୟନ୍ତ ଭ୍ରାମ୍ୟମାଣ ଗାଡ଼ି ଯୋଗେ ଦିଲ୍ଲୀରେ କିଲୋ ପ୍ରତି ୨୪ ଟଙ୍କାରେ ପିଆଜ ବିକ୍ରି କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଦେଶରେ ଏବେ ପିଆଜ ଦର ଆକାଶ ଛୁଆଁ ରହିଛି। ବିଭିନ୍ନ ରାଜ୍ୟରେ ପିଆଜ କିଲୋ ପ୍ରତି ୬୦ରୁ ୮୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଦିଲ୍ଲୀର ପରିବା ବଜାରରେ ପିଆଜ କିଲୋ ପ୍ରତି ୮୦ ଟଙ୍କା ରହିଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଅନୁସାରେ ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୫୬ ଟଙ୍କା ଥିବାବେଳେ କଲକତାରେ ୪୮ ଟଙ୍କା, ଚେନ୍ନଇରେ ୩୪ ଟଙ୍କା ରହିଛି। ଗୁରୁଗ୍ରାମ ଏବଂ ଜାମ୍ମୁକରେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ଗତ ୨୦ ଦିନ ଧରି କ୍ରମାଗତ ଭାବେ ପିଆଜ ଦରରେ ବୃଦ୍ଧି ଘଟି ଚାଲିଛି।

Comments are closed.