ଅଯୋଧ୍ୟା ମାମଲାର ଶୁଣାଣି କରିଥିବା ବିଚାରପତିଙ୍କୁ ଧମକ, ଜେଡ୍‌ ଶ୍ରେଣୀ ସୁରକ୍ଷା ଯୋଗାଇଲେ ସରକାର

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି କରିଥିବା ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ ଅବଦୁଲ ନଜୀରଙ୍କୁ ଧମକ ମିଳିଛି। ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ପକ୍ଷରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦିଆଯାଇଛି। ଏହା ପରେ କେନ୍ଦ୍ର ସରକାର ଜଷ୍ଟିସ ନଜୀରଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହିତ ତାଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା ଯୋଗାଇଦେବାକୁ ଘୋଷଣା କରିଛନ୍ତି।

ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ଗୃହ ମନ୍ତ୍ରଣାଳୟକୁ କୁହାଯାଇଥିଲା ଯେ ଜଷ୍ଟିସ ନଜୀରଙ୍କ ଜୀବନ ପ୍ରତି ପିଏଫଆଇ ଏବଂ ଅନ୍ୟ ସଂଗଠନଗୁଡ଼ିକଠାରୁ ବିପଦ ରହିଛି। ଏହା ପରେ ଗୃହ ମନ୍ତ୍ରଣାଳୟ ସିଆରପିଏଫ ଏବଂ ସ୍ଥାନୀୟ ପୁଲିସକୁ ଜଷ୍ଟିସ ନଜୀରଙ୍କୁ ସୁରକ୍ଷା ଦେବା ଲାଗି ନିର୍ଦେଶ ଦେଇଛି। ଜଷ୍ଟିସ ନଜୀର ଏବଂ ତାଙ୍କ ପରିବାରକୁ କର୍ଣ୍ଣାଟକ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ତୁରନ୍ତ ଜେଡ୍‌ ଶ୍ରେଣୀର ସୁରକ୍ଷା ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଜେଡ୍‌ ଶ୍ରେଣୀର ସୁରକ୍ଷାରେ ଅର୍ଦ୍ଧସାମରିକ ବଳର ପାଖାପାଖି ୨୨ ଯବାନ ନିୟୋଜିତ ହୋଇଥାନ୍ତି। ସରକାର ଅଯୋଧ୍ୟା ବିବାଦ ମାମଲାର ରାୟ ଆସିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଜେଡ୍‌ ପ୍ଲସ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଥିଲେ।

Comments are closed.