ଦାନ୍ତରେ ଲାଗିବ ସେନ୍‍ସର

0

ଏବେର ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ସବୁଠାରୁ କଷ୍ଟକର ହୋଇପଡିଛି। ଏପରି ସ୍ଥିତିରେ ଖାଦ୍ୟପେୟର ଯତ୍ନ ନେବା ଆହୁରି କାଠିକର ପାଠ ମନେହୁଏ। କେତେବେଳେ କଣ ଖାଉଛୁ ବା କଣ ଖାଇବା ଜରୁରୀ- ଭାବିବାକୁ ବେଳ ନଥାଏ। ତେଣୁ ଏହି ସମସ୍ୟାର ସମାଧାନ ଲାଗି ବିଶେଷଜ୍ଞମାନେ ଦାନ୍ତରେ ପିନ୍ଧାଯାଇ ପାରୁଥିବା ଏକ ସେନ୍‍ସର ପ୍ରସ୍ତୁତ କରିଛନ୍ତି। ଏହା ଦିନସାରା ବ୍ୟକ୍ତି କଣ ଖାଇଲେ ତାର ସମ୍ପୂର୍ଣ୍ଣ ହିସାବ ରଖି ତାଙ୍କୁ ସୂଚାଇଦେବ।

ଆଡଭାନ୍ସଡ ମ୍ୟାଟେରିଆଲ୍‍ସ ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶିତ ହୋଇଛି। ଆମେରିକାର ଟଫ୍‍ଟ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏହି ସେନ୍‍ସର ତିଆରି କରିଛନ୍ତି। ଏହା ବିନା ତାରରେ କାମ କରୁଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ସ୍ମାର୍ଟଫୋନ୍‍ ସହ ସଂଯୁକ୍ତ କରାଯାଇପାରିବ। ୨.୨ ମିଲିମିଟର ଆକାରର ଏହି ସେନ୍‍ସର ଦାନ୍ତ ଉପରେ ସହଜରେ ଲାଗିପାରେ। ଏହା ବ୍ୟତୀତ ପିନ୍ଧିବା ଲାଗି ବିଶେଷ ସୁରକ୍ଷା ପ୍ରଣାଳୀ କିମ୍ବା ନିୟମିତ ବଦଳାଇବା ମଧ୍ୟ ଆବଶ୍ୟକ ନୁହେଁ।

ସେନ୍‍ସରଟି ଆର୍‍ଏଫ୍‍ଆଇଡି (ରେଡିଓ ଫ୍ରିକ୍ୱେନ୍ସି ଆଇଡି) ଟେକ୍‍ନୋଲୋଜିରେ ତିଆରି ହୋଇଛି ଯାହା ଯେକୌଣସି ପରିବେଶରେ ସହଜରେ ସ୍ଥାପିତ ହୋଇପାରିବ। ଦୁଇଟି ସୁନାପାତ ଖୋଳପା ମଧ୍ୟରେ ଫିଲ୍ମ ପଲିମରରେ ପ୍ରସ୍ତୁତ ଏହି ସେନ୍‍ସର ରଖାଯାଇଛି। ସୁନାପାତ ଆଣ୍ଟିନା ପରି କାମ କରିଥାଏ। ଏହା ପିନ୍ଧିଥିବା ବ୍ୟକ୍ତିଙ୍କ ଖାଦ୍ୟପେୟରେ ଶର୍କରା, ଲବଣ, ନିଶାଦ୍ରବ୍ୟ ଆଦିର ସୂଚନା ରଖିପାରେ। ତେଣୁ ଲୋକମାନଙ୍କର ଖାଦ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

ଏଥିସହିତ ଶରୀରକୁ ଯାଉଥିବା ପୋଷକ ତତ୍ତ୍ୱ ଏବଂ ଦାନ୍ତର ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ରଖିବ। ପାଟିର ଲାଳ ନମୁନା ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜଟିଳ ପରିସ୍ଥିତି ମଧ୍ୟ ଲକ୍ଷ୍ୟ କରିବ। ପ୍ରମୁଖ ଗବେଷକ ଫ୍ରାଙ୍କ ଡୋବ୍‍ଲ କହିଛନ୍ତି ଯେ ସେନ୍‍ସର ତଥ୍ୟ ଅନୁସାରେ ପିନ୍ଧିଥିବା ବ୍ୟକ୍ତିଙ୍କର ଖାଦ୍ୟପେୟ ସମ୍ପର୍କରେ ଜାଣିହେବାରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଷ୍ଟକର ହେବନାହିଁ।

Leave A Reply