ପାକ୍‍ ଗୁଳିରେ ୪ ଯବାନ ସହିଦ

0

ଜମ୍ମୁ: ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଓ ଗୁଳିଗୋଳା ବର୍ଷଣ ଜାରି ରହିଛି। ପାକ୍‍ ଗୁଳିରେ ଆଜି ୪ ଜଣ ବିଏସ୍‍ଏଫ୍‍ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ସହିଦଙ୍କ ମଧ୍ୟରେ ବିଏସ୍‍ଏଫ୍‍ର ଜଣେ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ଅଛନ୍ତି। ଜମ୍ମୁର ସମ୍ବା ଜିଲା ରାମଗଡ଼ ସେକ୍ଟର ଅଞ୍ଚଳରେ ଆନ୍ତର୍ଜାତିକ ସୀମା ରେଖା ନିକଟରେ ଘଟିଛି ଏହି ଅଘଟଣ। ଗତ କାଲି ରାତି ୧୦.୩୦ରୁ ପାକିସ୍ତାନ ପଟୁ ଗୁଳି ଗୋଳା ବର୍ଷଣ ଆରମ୍ଭ ହୋଇଥିବା ବେଳେ ଭୋର ୪.୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ କାଲି ରାତିରୁ କିମ୍ବା ଆଜି ଭୋରରେ ବିଏସ୍‍ଏଫ୍‍ ଯବାନ ସହିଦ ହୋଇଛନ୍ତି ତାହା ଜଣାପଡ଼ିନାହିଁ। ଏହି ଘଟଣାରେ ଜମ୍ମୁ-କଶ୍ମୀର ପୁଲିସ ଡିଜି ଟ୍ୱିଟ୍‍ କରି ସମବେଦନା ଜଣାଇଛନ୍ତି।
ଗତ ମେ’୨୯ ତାରିଖରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶର ବରିଷ୍ଠ ସୁରକ୍ଷା ଅଧିକାରୀସ୍ତରୀୟ ଆଲୋଚନା ପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବବୃହତ୍‍ ଆକ୍ରମଣ। ଗତ ୩ ତାରିଖରେ ପାକ୍‍ଗୁଳିରେ ୨ ଜଣ ବିଏସ୍‍ଏଫ୍‍ ଯବାନ, ଜଣେ ଏଏସ୍‍ଆଇ ସହିଦ ହୋଇଥିବା ବେଳେ ୧୦ଜଣ ନାଗରିକ ଆହତ ହୋଇଥିଲେ। ଏହାକୁ ମିଶାଇ ଚଳିତ ବର୍ଷ ପାକ୍‍ ଗୁଳିରେ ୨୪ ସୁରକ୍ଷା କର୍ମୀଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ଘଟିଛି।
ପାକ୍‍ ପଟୁ ହେଉଥିବା ଗୁଳିଗୋଳା ବର୍ଷଣ ଯୋଗୁଁ ଜମ୍ମୁ, କାଠୁଆ ଓ ସାମ୍ବା ଜିଲାରୁ ମେ’ ୧୫ ପରେ ହଜାର ହଜାର ପରିବାର ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିଲେ। ଏହାପରେ ଗତ ୪ ତାରିଖରେ ମଧ୍ୟ ଦୁଇ ଦେଶର ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆଲୋଚନା ହୋଇଥିଲା। କିନ୍ତୁ ଏହାର କୌଣସି ପ୍ରଭାବ ପାକିସ୍ତାନ ଉପରେ ପଡ଼ୁନାହିଁ।

Leave A Reply