କାଫେ କଫି ଡେ’ ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ମୃତଦେହ ନଦୀରୁ ଉଦ୍ଧାର

ବେଙ୍ଗାଲୁରୁ: ବିଶିଷ୍ଟ ଉଦ୍ୟୋଗପତି ତଥା ଲୋକପ୍ରିୟ ବ୍ରାଣ୍ଡ କାଫେ କଫି ଡେ’(ସିସିଡି)ର ପ୍ରତିଷ୍ଠାତା ଭି.ଜି. ସିଦ୍ଧାର୍ଥଙ୍କ ମୃତଦେହ  ନେତ୍ରାବତୀ ନଦୀରୁ ଉଦ୍ଧାର ହୋଇଛି। ଗତ ସୋମବାର ସନ୍ଧ୍ୟାରୁ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ସୋମବାର ସେ ମାଙ୍ଗାଲୁରୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ସେ ନେତ୍ରାବଦୀ ନଦୀ ପୋଲ ଉପରେ ଗାଡ଼ି ରଖି ଓହ୍ଲାଇପଡିଥିଲେ। କିଛି ଦୂର ଯାଇ ତାଙ୍କୁ ଅପେକ୍ଷା କରିବାକୁ ସେ ଡ୍ରାଇଭରକୁ କହିଥିଲେ। ଏହା ପରଠାରୁ ତାଙ୍କ ପତ୍ତା ମିଳି ନ ଥିଲା। ତେଣୁ ନେତ୍ରାବତୀ ନଦୀରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। କୋଷ୍ଟଗାର୍ଡମାନେ ନେତ୍ରାବତୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସିଦ୍ଧାର୍ଥ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏମ.ଏସ. କ୍ରିଷ୍ଣାଙ୍କ ଜ୍ବାଇଁ।

ଅନ୍ୟପଟେ ସିଦ୍ଧାର୍ଥ ନିଖୋଜ ହେବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସିଦ୍ଧାର୍ଥ ସିସିଡିର କର୍ମଚାରୀ ଏବଂ ନିର୍ଦେଶକ ମଣ୍ଡଳୀକୁ ଏକ ପତ୍ର ଲେଖିଥିଲେ। ଏହି ପତ୍ରରେ ସେ କହିଥିଲେ ଯେ ସବୁ ଆର୍ଥିକ ନେଣଦେଣ ମୋ ଦାୟିତ୍ୱ ଓ ଆଇନ ପାଖରେ କେବଳ ମୁଁ ଜବାବଦେହୀ। ମୋ ଉପରେ ଆସ୍ଥା ରଖିଥିବା ସମସ୍ତ ଲୋକଙ୍କୁ ନିରାଶ କରିଥିବାରୁ ମୁଁ ଦୁଃଖିତ। ଜଣେ ଉଦ୍ୟୋଗପତି ଭାବେ ମୁଁ ବିଫଳ ହୋଇଛି। ମୁଁ ଦୀର୍ଘ ଦିନ ସଂଘର୍ଷ କଲି, କିନ୍ତୁ ଏବେ ଆଉ ମୁଁ ପାରିବି ନାହିଁ। ୬ ମାସ ତଳେ ଜଣେ ସାଙ୍ଗଠାରୁ ଅନେକ ଟଙ୍କା ଧାର ଆଣି କିଛି ନେଣଦେଣ କରିଥିଲି। ସେହି ନେଣଦେଣର ସେୟାରକୁ ପୁନଃ କିଣିବା ପାଇଁ ମୋ ଉପରେ ଏକ ଘରୋଇ ଅଂଶୀଦାର ପ୍ରବଳ ଚାପ ପକାଉଛନ୍ତି। ଏହାସହ ଅନ୍ୟ ଋଣଦାତାଙ୍କ ଚାପରୁ ସୃଷ୍ଟି ପରିସ୍ଥିତି ମୋତେ ମାରିଦେଇଛି ।

Comments are closed.