ଦୁର୍ବଳ ଅମ୍ପାୟରିଂକୁ ନେଇ ବିସିସିଆଇ ସମାଲୋଚିତ

0

ମୁମ୍ବଇ : ଚଳିତବର୍ଷ ଆଇପିଏଲ୍‍ରେ ଦୁର୍ବଳ ଅମ୍ପାୟରିଂକୁ ନେଇ ବିସିସିଆଇ ବହୁଳ ଭାବେ ସମାଲୋଚିତ ହୋଇଛି। ମ୍ୟାଚ୍‍ରେ ଅମ୍ପାୟରିଂ କରୁଥିବା ବ୍ୟକ୍ତିମାନେ ଅନେକ ଭୁଲ୍‍ଭଟକା କରୁଥିବା ଦେଖିବାକୁ ମିଳୁଛି।
ଚଳିତ ଆଇପିଏଲ୍‍ରେ ଘରୋଇ ଅମ୍ପାୟାରଙ୍କୁ ଅଧିକ ସଂଖ୍ୟାରେ ମ୍ୟାଚ୍‍ ପରିଚାଳନା ଦାୟିତ୍ୱ ଅର୍ପଣ କରିଛି ବିସିସିଆଇ। ଘରୋଇ ଅମ୍ପାୟାରଙ୍କ ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା ଲକ୍ଷ୍ୟରେ ବିସିସିଆଇ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଥିବା ବେଳେ ଅମ୍ପାୟାରଙ୍କ ଭୁଲ୍‍ଭଟକା ଯୋଗୁଁଁ ସାଧାରଣରେ ନିନ୍ଦିତ ହେଉଛି ବିସିସିଆଇ। ଆଇପିଏଲ୍‍ରେ ବିଦେଶୀ ଅମ୍ପାୟାରଙ୍କ ସଂଖ୍ୟା କମାଇ ବିସିସିଆଇ ବଡ଼ ଭୁଲ୍‍ କରିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଆଇପିଏଲ୍‍ର ଗତ ସିଜିନ୍‍ରେ ଅମ୍ପାୟାରମାନେ ଅତିକମ୍‍ରେ ୨୫ଟି ଭୁଲ୍‍ କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଚଳିତ ସିଜିନ୍‍ରେ ମଧ୍ୟ ଅମ୍ପାୟାର କରିଥିବା ଭୁଲ୍‍ ସଂଖ୍ୟା କିଛି କମ୍‍ ନୁହେଁ।
ସନ୍‍ରାଇଜର୍ସ ହାଇଦାରାବାଦ୍‍ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‍ରେ ଚେନ୍ନଇର ବୋଲର ସାର୍ଦ୍ଦୁଳ ଠାକୁରଙ୍କ ଏକ ବଲ୍‍ ହାଇଦରାବାଦ୍‍ର ବ୍ୟାଟସମ୍ୟାନ୍‍ କେନ୍‍ ୱିଲିୟମସନ୍‍ଙ୍କ ଅଣ୍ଟା ଉପର ଦେଇ ଯାଇଥିଲେ ମଧ୍ୟ ଅମ୍ପାୟାର ବିନୀତ କୁଲକର୍ଣ୍ଣୀ ଏହାକୁ ନୋ-ବଲ୍‍ ଘୋଷଣା କରିନଥିଲେ। ଏହି ମ୍ୟାଚ୍‍ରେ ହାଇଦରାବାଦ୍‍ ଦଳ ଅଳ୍ପକେ ପରାସ୍ତ ହୋଇଥିବା ବେଳେ ଯଦି ଅମ୍ପାୟାର ନୋ-ବଲ୍‍ ଘୋଷଣା କରିଥାନ୍ତେ ତେବେ ମ୍ୟାଚ୍‍ର ଫଳାଫଳ କିଛିଟା ଭିନ୍ନ ହୋଇଥାନ୍ତା ବୋଲି ଆଲୋଚନା ହେଉଛି।
ସେହିପରି କିଙ୍ଗସ୍‍ ଏକାଦଶ ପଞ୍ଜାବ ଓ କଲକାତା ନାଇଟ୍‍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‍ରେ ପଞ୍ଜାବର ଆଣ୍ଡ୍ରୁ ଟାଏ କ୍ରିଜ୍‍ ଟପି ବୋଲିଂ କରିନଥିବା ସ୍ପଷ୍ଟ ଭାବେ ଟିଭି ସ୍କ୍ରିନ୍‍ରେ ଦେଖାଯାଉଥିବା ବେଳେ ଅମ୍ପାୟାର ଏହାକୁ ନୋ-ବଲ୍‍ ଘୋଷଣା କରିବା ସହ ପ୍ରତିପକ୍ଷ ଦଳକୁ ଫ୍ରିହିଟ୍‍ ପ୍ରଦାନ କରିଥିଲେ। ଘରୋଇ ଅମ୍ପାୟାରଭାବେ ଏପରି ଭାବେ ବହୁ ଭୁଲ୍‍ଭଟକା କରୁଥିବା ବେଳେ ସେମାନେ କାହିଁକି ତୃତୀୟ ଅମ୍ପାୟାରଙ୍କ ସହାୟତା ନେଉନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘରୋଇ ଅମ୍ପାୟାରଙ୍କ ଦକ୍ଷତା ବୃଦ୍ଧି କରିବାକୁ ଆଇପିଏଲ୍‍ରେ ଅଧିକ ସଂଖ୍ୟାରେ ସେମାନଙ୍କୁ ସୁଯୋଗ ଦେବାରେ କିଛି ଭୁଲ୍‍ ନାହିଁ, ତେବେ ଏହି ଅମ୍ପାୟାରମାନେ ଯେପରି ଭୁଲ୍‍ ନିଷ୍ପତ୍ତି ନେଉଛନ୍ତି ତାହା ଦଳଗୁଡ଼ିକୁ କ୍ଷତି ପହଞ୍ଚାଉଛି ବୋଲି ମତ ଦେଇଛନ୍ତି ବହୁ ଫ୍ରାଞ୍ଚାଇଜି ମାଲିକ। ଆଇପିଏଲ୍‍ ବିଶ୍ୱର ଶ୍ରେଷ୍ଠ ଘରୋଇ ଲିଗ୍‍ ଭାବେ ପରିଗଣିତ ହେଉଥିବା ବେଳେ ଅମ୍ପାୟାରମାନେ ବହୁତ ଭୁଲ୍‍ଭଟକା କରିବା ଫଳରେ ବିଶ୍ୱ ଦରବାରରେ ବିସିସିଆଇ ନିନ୍ଦିତ ହେଉଥିବା ଜଣେ ପୂର୍ବତନ ଖେଳାଳି ମତ ଦେଇଛନ୍ତି। ଦ୍ୱନ୍ଦ୍ୱ ଉପୁଜିଲେ ପଡ଼ିଆରେ ଉପସ୍ଥିତ ଅମ୍ପାୟାର ତୁରନ୍ତ ତୃତୀୟ ଅମ୍ପାୟାରଙ୍କ ସହାୟତା ନେବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply