ଆଇସିଆଇସିଆଇ ବ୍ୟାଙ୍କ ଓ ଭିଡିଓକନ୍‍ ଋଣ ଦୁର୍ନୀତିର ଖୋଳତାଡ଼ କରୁଛି ସିବିଆଇ

0

ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ଭିଡ଼ିଓକନର ମୁମ୍ବଇ ଓ ଔରଙ୍ଗାବାଦସ୍ଥିତ ଦପ୍ତର ଉପରେ ଚଢାଉ କରାଯାଇଛି। ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ ଜାରି ରହିଛି। ସିବିଆଇ ପକ୍ଷରୁ ଭିଡ଼ିଓକନକୁ ଆଇସିଆଇସିଆଇ ବ୍ୟାଙ୍କ ଅନୈତିକଭାବେ ଋଣ ଦେବା ଘଟଣାକୁ ନେଇ ମାମଲା ରୁଜୁ କରିଛି। ଭିଡ଼ିଓକନର ସହଯୋଗୀ କମ୍ପାନୀ ଭାବେ “ନ୍ୟୁପାୱର’କୁ ଏହି ଋଣ ପ୍ରଦାନ କରାଯାଇ ଥିବାବେଳେ ଏହା ଦୀପକ କୋଚରଙ୍କ କମ୍ପାନୀ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା।
ଭିଡ଼ିଓକନ ଗ୍ରୁପର ୫ଟି କମ୍ପାନୀକୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ଦେଇଥିଲା। ୨୦୧୨ଏପ୍ରିଲରେ ୩,୨୫୦କୋଟି ଟଙ୍କାର ଋଣ ଦିଆଯାଇ ଥିଲା। ପରବର୍ତ୍ତୀ ସମୟରେ ଭିଡ଼ିଓକନ ଗ୍ରୁପ ମୋଟ୍‍ ଋଣର ୮୬ ପ୍ରତିଶତ ଅର୍ଥାତ୍‍ ୨,୮୧୦କୋଟି ଟଙ୍କା ସୁଝି ନଥିଲା। ଫଳରେ ୨୦୧୭ରେ ଏହି ଋଣକୁ ଏନପିଏ ଭାବେ ଘୋଷଣା କରି ଦିଆଯାଇ ଥିଲା। ଉକ୍ତ ଋଣ ପ୍ରଦାନ କରିବା ପାଇଁ ଗଠିତ କମିଟିରେ ଚନ୍ଦା କୋଚର ଉପସ୍ଥିତ ଥିଲେ। ନିଜ ସ୍ୱାମୀଙ୍କ କମ୍ପାନୀକୁ ଋଣ ଦେବା ପାଇଁ ଚନ୍ଦା କୋଚର ପକ୍ଷପାତିତା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସିବିଆଇ ଚନ୍ଦା କୋଚରଙ୍କ ବିରୋଧରେ ତଦନ୍ତ ଜାରି ରଖିଛି। ଏହି ଋଣ ମିଳିବା ପରେ ଭିଡ଼ିଓକନ ଗ୍ରୁପର ଅଧ୍ୟକ୍ଷ ବେଣୁଗୋପାଳ ଧୂତ ମଧ୍ୟ ଦୀପକ କୋଚରଙ୍କ କମ୍ପାନୀରେ ଅର୍ଥ ବିନିଯୋଗ କରିଥିଲେ।

Leave A Reply