ରାଜୀବ କୁମାରଙ୍କ ବିରୋଧରେ ଲୁକ୍‍ଆଉଟ୍‍ ନୋଟିସ୍‍ ଜାରି

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଅତିଘନିଷ୍ଠ ତଥା କଲକତାର ପୂର୍ବତନ ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ବିରୋଧରେ ରବିବାର ଲୁକ୍‍ଆଉଟ୍‍ ନୋଟିସ୍‍ ଜାରି କରିଛି। ଶାରଦା ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାରେ ସମ୍ପୃକ୍ତ କେତେକ ରାଜନେତାଙ୍କୁ ବଞ୍ଚାଇବା ପାଇଁ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ରହିଛି। ଏହି ମାମଲାରେ ପଚରାଉଚୁରା ପାଇଁ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାକୁ ଚାହୁଁଛି।
ଲୁକ୍‍ଆଉଟ୍‍ ନୋଟିସ୍‍ ଜାରି ହେବା ପରେ ରାଜୀବ କୁମାର ଏବେ ଦେଶ ଛାଡ଼ି ଯାଇପାରିବେ ନାହିଁ। ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ରୋକ୍‍ (ଅନ୍ତରୀଣ ସୁରକ୍ଷା) ଅବଧି ଶୁକ୍ରବାର ଶେଷ ହୋଇଯାଇଛି। ଗିରଫଦାରୀ ଉପରେ ରୋକ ପାଇଁ ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଏହି ଲୁକ୍‍ଆଉଟ୍‍ ନୋଟିସ୍‍ ଗତ ୨୩ ତାରିଖରେ ଜାରି ହୋଇଛି। ଏହା ବର୍ଷେ ପର୍ଯ୍ୟନ୍ତ ବଳବତ୍ତର ରହିବ।ରାଜୀବଙ୍କ ଗିରଫଦାରୀ ପାଇଁ ସିବିଆଇ ତନାଘନା ଆରମ୍ଭ କରିଛି। ତାଙ୍କ ଉତ୍ତରପ୍ରଦେଶସ୍ଥିତ ବାସଭବନରେ ପୁଲିସ୍‍ ମୁତୟନ କରାଯାଇଛି। ସମସ୍ତ ବିମାନ ବନ୍ଦରକୁ ସତର୍କ କରିଦିଆଯାଇଛି। ସୁରକ୍ଷା ବାହିନୀ ତାଙ୍କ ତଲାସୀ ଆରମ୍ଭ କରିଛି।
ପ୍ରକାଶ ଯେ ଏହା ପୂର୍ବରୁ କୋର୍ଟ ରାଜୀବ କୁମାରଙ୍କ ଅନ୍ତରୀଣ ସୁରକ୍ଷାକୁ ୭ ଦିନ ପାଇଁ ବଢାଇ ଦେଇଥିଲେ। ଏହା ମଧ୍ୟରେ ସେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ । ତେବେ ଏହି ସୁରକ୍ଷା ଶୁକ୍ରବାର ଶେଷ ହେଇଛି । କଲକତାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିିବାରୁ ସେ ଗିରଫଦାରୀ ଉପରେ ରୋକ୍‍ ପାଇଁ ଆବେଦନ କରିପାରି ନାହାନ୍ତି। ସୁପ୍ରିମକୋର୍ଟରେ ପୁନଃ ଆବେଦନ କରି ରାଜୀବ ଫେଲ୍‍ ହୋଇଛନ୍ତି। ଧାରା ୩୨ ଅନୁସାରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିବେ ନାହିଁ ବୋଲି କହିଛନ୍ତି । ଫଳରେ କୌଣସି ବି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ବୋଲି କୁହାଯାଉଛି ।

Comments are closed.