୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ୧୧, ୩୩୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା

0

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ସମେତ ୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ୧୧,୩୩୬ କୋଟି ଟଙ୍କା ଦେଇଛନ୍ତି। ସରକାରୀ ପୁଞ୍ଜି ସହାୟତା ପାଇବାକୁ ଥିବା ଅନ୍ୟ ଚାରୋଟି ବ୍ୟାଙ୍କ ହେଲେ କର୍ପୋରେସନ୍‍ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଆଲ୍ଲାହାବାଦ୍‍ ବ୍ୟାଙ୍କ, ଇଣ୍ଡିଆନ୍‍ ଓଭରସିଜ୍‍ ବ୍ୟାଙ୍କ।
ସୂଚନାଯୋଗ୍ୟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଅକ୍ଟୋବର ମାସରେ ମୋଟ ୨.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରିଥିଲେ। ସେଥିରୁ ୭୧ ହଜାର କୋଟି ଟଙ୍କା ବଣ୍ଡ ଆକାରରେ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ଉପରୋକ୍ତ ରାଶି ପ୍ରଦାନ କରାଯାଇଥିବା ବେଳେ ବଳକା ରାଶି ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ।
ସରକାରଙ୍କ ଘୋଷିତ ସହାୟତା ରାଶି ମଧ୍ୟରୁ ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ସର୍ବାଧିକ ୨,୮୧୬ କୋଟି ଟଙ୍କା ପାଇବାକୁ ଥିବା ବେଳେ କର୍ପୋରେସନ୍‍ ବ୍ୟାଙ୍କ ୨, ୫୫୫ କୋଟି ଟଙ୍କା, ଇଣ୍ଡିଆନ୍‍ ଓଭରସିଜ୍‍ ବ୍ୟାଙ୍କ ୨, ୧୫୭ କୋଟି ଟଙ୍କା, ଅ।।ନ୍ଧ୍ର ବ୍ୟାଙ୍କ ୨,୧୦୯ କୋଟି ଟଙ୍କା, ଆଲ୍ଲାହାବାଦ୍‍ ବ୍ୟାଙ୍କ ୧,୭୯୦ କୋଟି ଟଙ୍କା ପାଇବେ।
ନିରବ ମୋଦୀ ଘୋଟାଲା ଯୋଗୁଁ ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ବ୍ୟାଙ୍କଗୁଡ଼ିକ ଏନ୍‍ପିଏ ବା ବ୍ୟାଡ୍‍ ଲୋନ୍‍ ପାଇଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୋଟ ଏନପିଏ ୨୦୧୮ ମାର୍ଚ୍ଚ ସୁଦ୍ଧା ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସରକାରୀ ସହାୟତା ବାଦ୍‍ ବ୍ୟାଙ୍କଗୁଡ଼ିକ ଖୋଲା ବଜାରରୁ ୫୦ ହଜାର କୋଟି ଟଙ୍କା ଋଣ ଉଠାଇବେ ବୋଲି ଜଣାପଡ଼ିଛି।

Leave A Reply