କ୍ୟାପିଟାଲ ହସ୍ପିଟାଲ: ପ୍ରସୂତିଙ୍କ ପେଟରୁ ବାହାରିଲା ଗଜ,‌ ଗ୍ଲୋଭ୍ସ

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗର କରୁଣ ଚିତ୍ର ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ସିଟାଲରେ।  ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗରେ ମୋ ସରକାର ଆରମ୍ଭ କଲେ ଏହି ହସ୍ପିଟାଲରୁ। ଦୀପତଳ ଅନ୍ଧାର ଭଳି ଏଠାରେ ସଠିକ୍‌ ଚିକିତ୍ସା ମିଳିପାରୁନାହିଁ। ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ପ୍ରସୂତି ଯନ୍ତ୍ରଣା ଭୋଗିଛନ୍ତି। ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳର ଏହି ପ୍ରସୂତିଙ୍କ ସାଧାରଣ ପ୍ରସବ ପରେ  ପେଟରୁ ୫ଟି ଗଜ କପଡ଼ା ଏବଂ କୋଟିଏ ଗ୍ଲୋଭ୍ସ ବାହାରିଥିବା ନେଇ ଅଭିଯୋଗ ହୋଇଛି। ଏମିତି ଏକ ସମ୍ବେଦନଶୀଳ ଘଟଣା  ଗତ ୭ ତାରିଖରେ ଘଟିଛି।  ସୂଚନା ଅନୁସାରେ ଫୁଲବାଣୀର ଜାନି ପ୍ରଧାନ ଗତ ୧୩ ବର୍ଷ ଧରି ରାଜଧାନୀରେ ଅଟୋ ଚଳାଇ ପ୍ରତିପୋଷଣ କରିନ୍ତି। ତାଙ୍କ ଗର୍ଭବତୀ ପତ୍ନୀ ରୀତି ପ୍ରଧାନଙ୍କ ଯନ୍ତ୍ରଣା ହେବାରୁ ସେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ବିନା ଅ‌େ‌ସ୍ତ୍ରାପଚାରରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ଜନୈକ ନର୍ସ ତାଙ୍କୁ ୭୦୦ ଟଙ୍କା ମାଗିଥିଲେ।   ସେ ଗରିବ ଲୋକ ଏବଂ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ଏଥିରେ ନର୍ସ ଜଣଙ୍କ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଏହାର ୪୮ ଘଣ୍ଟା ପରେ ଅର୍ଥାତ ୯ ତାରିଖ ଦିନ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।  ଘରକୁ ଆସିବା ପରେ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା ଏମିତିକି ରକ୍ତ ବାହାରିଥିଲା। ଦୁଇଦିନ ପରେ ଯନ୍ତ୍ରଣା ଅସହ୍ୟ ହେଲା। ଏହାପରେ ସେ ପାଇଖାନା ଯାଇଥିଲେ। ପରିସ୍ରା ସମୟରେ ୩ଟି ଗଜ୍‌ କପଡ଼ା ବାହାର କରିଥିଲେ। କେବଳ ଏତିକି ନୁହେଁ ଏକ ଗ୍ଲୋଭ୍ସ ମଧ୍ୟ ବହୁ କ‌ଷ୍ଟରେ ବାହାର କରିଥିଲେ ନିଜ କୁନି ଝିଅ ସହାୟତାରେ। ଏହାପରେ ବି ଯନ୍ତ୍ରଣା କମିନଥିଲା। ୧୬ ତାରିଖରେ ସେ ପୁଣି କ୍ୟାପିଟାଲ ହସ୍ପିଟାଲ ଯାଇ ଡାକ୍ତରଙ୍କୁ ସବୁ କଥା କହିବା ପରେ ଡାକ୍ତର ଏହାକୁ ମାନି ନଥିଲେ। ତେବେ କାହିଁକି କଷ୍ଟ ହେଉଛି ବୋଲି ଟିକେ ପରୀକ୍ଷା କରିବାକୁ କହିଥିଲେ। ଏହାପରେ ଡାକ୍ତର ଚିକିତ୍ସା କରିବା ଦ୍ବାରା ପରିସ୍ରା ଦ୍ବାରରୁ ଆଉ ଦୁଇଟି ଗଜ୍‌ କପଡ଼ା ବାହାରିଥିଲା। ଯାହାକୁ ନେଇ ଜାନି ହତବାକ୍‌ ହୋଇଯାଇଥିଲେ। ଏହାପରେ ସେ ଉପଅଧୀକ୍ଷକଙ୍କୁ ଦେଖା କରି ସମସ୍ତ ବିଷୟରେ ଜଣାଇ ଲିଖିତ ଅଭିଯୋଗ କରିଥିଲେ।

ଘଟଣା ସମ୍ପର୍କରେ ଉପଅଧୀକ୍ଷକ ଯାଞ୍ଚ କରିବା ସହିତ କେଉଁ  ଡାକ୍ତର ଉକ୍ତ ସମୟରେ ଉପସ୍ଥିତ ଥିଲେ ତା’ର ଯାଞ୍ଚ କରିଥିଲେ ଏବଂ ପ୍ରସୂତିଙ୍କୁ ଚିହ୍ନଟ  ପାଇଁ ମଧ୍ୟ କହିଥିଲେ। ଏହାପରେ ସମ୍ପୃକ୍ତ ଡାକ୍ତର ଏବଂ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଘଟଣା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ୫ ଗଜ୍‌ ଏବଂ ୧ ଗ୍ଲୋଭ୍ସ ରହିବା ସମ୍ଭବ ନୁହେଁ।  ଘଟଣା ସର୍ମ୍ପକରେ ଯାଞ୍ଚ କରାଯାଉଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୋ ଭଳି କଷ୍ଟ ଅନ୍ୟ କେହି ନ ପାଆନ୍ତୁ ଏତେ କଷ୍ଟ ପାଇବା ପରେବି ରୀତିଙ୍କ ମାନବିକତା ସମସ୍ତଙ୍କୁ ଚକିତ କରିଛି।   ସେ ସମ୍ପୃକ୍ତ ଡାକ୍ତରଙ୍କୁ କ୍ଷମା କରିବା ସହିତ ଏପରି ନ କରିବା ପାଇଁ ତାଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ସେ କହିଛନ୍ତି ମୁଁ ଯେମିତି ଯନ୍ତ୍ରଣା ପାଇଲି ମୋ ପରି ଆଉ କୌଣସି ମହିଳାଙ୍କୁ ଏମିତି ଯନ୍ତ୍ରଣା ନମିଳୁ।

Comments are closed.