ଝାଡ଼ଖଣ୍ଡ : ଅବଶିଷ୍ଟ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ୍

ରାଞ୍ଚି : ଝାଡ଼ଖଣ୍ଡର ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି । ବିଶେଷକରି କୋୟେଲାଞ୍ଚଳ ଏବଂ ସାନ୍ତାଳ ପ୍ରଗଣା ଅଞ୍ଚଳର ୩୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ବିଭିନ୍ନ ଦଳର ବରିଷ୍ଠ ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଛନ୍ତି।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର  ବାଗୋଦାର, ବେଙ୍ଗାବାଦ ଏବଂ ମଧୁପୁରରେ ତିନୋଟି ନିର୍ବାଚନ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପଥରଗାମ୍‍ ଏବଂ ରାଜମହଲଠାରେ ନିର୍ବାଚନ ର‍୍ୟାଲିରେ ଯୋଗଦେଇ ପ୍ରଚାର କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ସୋମବାର ୧୬ ତାରିଖ ଦିନ ଧାନବାଦ,ଦେଓଘର, ଗିରିଡିହୀ ଏବଂ ବୋକାରୋ ଆଦି ୪ଟି ଜିଲ୍ଲାର ୧୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ପ୍ରଚାର ଅଭିଯାନ ଶେ​ଷ ହେବ।

ଅନ୍ୟପକ୍ଷରେ ଗୁରୁବାର ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୬୨ ଦଶମିକ ୩.୫ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି।

Comments are closed.