କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମୋହର

ସବୁ ଗାଁକୁ ସ୍ବଚ୍ଛ ପାନୀୟ ଜଳ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି। ବିଧାନସଭା ଚାଲିଥିବାରୁ ବୈଠକର ବିବରଣୀ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୭ଟି ପ୍ରସ୍ତାବ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଦୁଇଟି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୩ଟି, ଶିଳ୍ପ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା ଓ ଗୃହ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି।
ରାଜ୍ୟର ୭ଜିଲାର ୨୧ ବ୍ଳକରେ ମେଗା ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହିତ ଝାରସୁଗୁଡ଼ା ଏଲ.ଏନ.କଲେଜ ଉପରୁ ବକେୟା ଛାଡ଼ କରାଯିବା ସହିତ ଉକ୍ତ କଲେଜ ପାଇଁ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରୁ ମାଗଣାରେ ୪.୫୬ଏକର ଜମି ପ୍ରଦାନ କରାଯିବ। ସେଠାରେ ୮୪ଲକ୍ଷ ଟଙ୍କା ବ୍ୟୟରେ ହଷ୍ଟେଲ ନିର୍ମିତ ହେବା ସିଭିରମଣ ଇଞ୍ଜିନିୟରିଂ କଲେଜକୁ ସିଭି ରମଣ ଗ୍ଲୋବାଲ ୟୁନିଭରସିଟିରେ ପରିଣତ କରାଯିବା ସହିତ କାଳିଆ ଯୋଜନା, ଏସମା ଆଇନରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଓଡ଼ିଶା ବୃତ୍ତିଗତ ଚିକିତ୍ସା, ଫିଜିଓଥେରାପି ପରିଷଦ ଗଠନ ଏବଂ ସେଲ୍ଫ ଫାଇନାନ୍ସିଂ ୟୁନିଟାରୀ ବିଶ୍ବବିଦ୍ୟାଳୟ ଭାବେ ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରି ମିିଳିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲାରେ ୨ଟି ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଜିଲାର ଦଶରଥପୁର ବଡ଼ଚଣା ଏବଂ ଧର୍ମଶାଳା ବ୍ଲକର ଜଳାଭାବ ଥିବା ଗ୍ରାମାଞ୍ଚଳରେ ଏହା କାର୍ଯ୍ୟକାରୀ କରାଯିବ ା ଏଥିପାଇଁ ରାଜ୍ୟ ଯୋଜନା ବସୁଧା ପାଣ୍ଠିରୁ ବୈତରଣୀ ଓ ବ୍ରାହ୍ମଣୀ ନଦୀରୁ ପାଇପ ଯୋଗେ ପାଣି ଯୋଗାଇଦେବେ। ଏଥିପାଇଁ ୪୭୧କୋଟି ୬୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଅନୁଗୋଳ ଜିଲାର ପାଲଲହଡ଼ା ବ୍ଲକ ଏବଂ କେନ୍ଦୁଝର ଜିଲାର ତେଲକୋଇ, ହରିଚନ୍ଦନପୁର ଏବଂ ଘଟଗାଁ ବ୍ଳକରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୧୭୬,୪୯,୦୦,୦୦୦ ଟଙ୍କା ବିନିଯୋଗ କରାଯିବାକୁ ସ୍ଥିର ହୋଇଛି। ଏସବୁ ଅଞ୍ଚଳକୁ ରେଙ୍ଗାଲି ଜଳଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ।
କେନ୍ଦୁଝର ଜିଲାର ସାହାରାପଡ଼ା, ଆନନ୍ଦପୁର ଓ ଘଷିପୁରା ବ୍ଳକର ଜଳାଭାବ ଅଞ୍ଚଳକୁ ବୈତରଣୀରୁ ପାଣି ଦିଆଯିବ। ଏହି ତିନିଟି ବ୍ଳକରେ ତିନିଟି ମେଗା ପ୍ରକଳ୍ପ ସ୍ଥାପନ ହେବ। ଏଥିପାଇଁ ୪୬୮କୋଟି ଟଙ୍କାର ଟେଣ୍ଡର ପ୍ରସ୍ତୁତ ହୋଇଛି। ନୟାଗଡ଼ ଜିଲାର ନୟାଗଡ଼, ନୂଆଗାଁ, ଖଣ୍ଡପଡ଼ା ଓ ଭାପୁର ବ୍ଲକ ପାଇଁ ୪୮୯.୭୮କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ମହାନଦୀରୁ ଏସବୁ ବ୍ଲକକୁ ଜଳ ଯୋଗାଇ ଦିଆଯିବ। ରାୟଗଡ଼ା ଜିଲା ବିଷମ କଟକ ଏବଂ ଗୁଣୁପୁର ବ୍ଲକ​ରେ ପାନୀୟ ଜଳ ପ୍ରକଳ୍ପ ବାବଦରେ ୧୬୩କୋଟି ଟଙ୍କା ବିନିଯୋଗ ହେବ।
ସେହିପରି ସୁନ୍ଦରଗଡ଼ ଜିଲାର ହେମଗିରି, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକକୁ ପାନୀୟ ଜଳଯୋଗାଣ ପାଇଁ ମହାନଦୀ, ଶଙ୍ଖ ନଦୀରୁ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏଥିପାଇଁ ୩୯୦କୋଟି ଟଙ୍କାର ବିନିଯୋଗ ହେବ। ସୋନପୁର ଜିଲାର ଡ଼ୁଙ୍ଗୁରିପାଲି ଓ ବିନିକା ବ୍ଳକରେ ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏହି ମେଗା ପ୍ରକଳ୍ପ ପାଇଁ ମହାନଦୀରୁ ପାଣି ଯୋଗାଇ ଦିଆଯିବ। ଏଥିପାଇଁ ୧୬୫କୋଟି ଟଙ୍କା ଖର୍ଚ୍ଚ ହେବ।
କ୍ୟାବିନେଟରେ ଓଡ଼ିଶା ବୃତ୍ତିଗତ ଚିକିତ୍ସା ଓ ଫିଜିଓଥେରାପି ନିମନ୍ତେ ରାଜ୍ୟ ପରିଷଦ ବିଧେୟକ ଆଣିବା ପାଇଁ ମଞ୍ଜୁରି ମିଳିଛି।
ରାଜ୍ୟରେ ବୃତ୍ତିଗତ ଚିକିତ୍ସା ଓ ଫିଜିଓଥେରାପି କ୍ଷେତ୍ରରେ ଶିକ୍ଷାର ମାନ ବୃଦ୍ଧି ତଥା ବୃତ୍ତିଗତ ଚିକିତ୍ସକ ଓ ଫିଜିଓଥେରାପିଷ୍ଟମାନଙ୍କ ଏକ ରେଜିଷ୍ଟର ଅନୁରକ୍ଷଣ ଉଦ୍ଦେଶ୍ୟରେ ଏକ ପରିଷଦ ଗଠନ କରାଯିବ।
ନାଚୁରୋପାଥି ଏବଂ ଯୋଗ ବିଜ୍ଞାନ, ହ୍ୟୁମାନିିଟିଜ, ସମାଜ ବିଜ୍ଞାନ, ଫିଜିକାଲ ଓ ବାଇଓଲୋଜିକାଲ ବିଜ୍ଞାନ, ପରିଚାଳନା, ଭାରତୀୟ ସଂସ୍କୃତି ଓ ପରଫରମିଂ କଳା, ଯୋଗ, ଆଧ୍ୟାତ୍ମିକତା ଆଦି ଶିକ୍ଷାପ୍ରଦାନ ପାଇଁ ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ନାମରେ ଏକ ଘରୋଇ ସେଲ୍ଫ ଫାଇନାନ୍ସ ଏକକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଧେୟକ ଆଣିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି।
ଏଥିସହିତ ଓଡ଼ିଶା ଅତ୍ୟାବଶ୍ୟକ ସେବା(ମେଣ୍ଟେନାନ୍ସ) ଆଇନ ୧୯୮୮ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି। ପୂର୍ବରୁ ଏ ସଂକ୍ରାନ୍ତ ଆଇନର ପରିସର ସୀମିତ ଥିବାବେଳେ ସଂଶୋଧିତ ବ୍ୟବସ୍ଥାରେ ପୁଲିସ, ଅଗ୍ନି ନିରାପତ୍ତା, ଜଙ୍ଗଲ, ଅବକାରୀ, କାରାଗାର ଆଦି ସାଧାରଣ ନିରାପତ୍ତା ବ୍ୟବସ୍ଥାକୁ ଏଥିରେ ଯୋଡ଼ାଯିବ। ଖାଦ୍ୟଶସ୍ୟ ଯୋଗାଣ ଓ ବିତରଣ, ମହଜୁଦ, ସଂଗ୍ରହ ଓ କ୍ରୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ସଂସ୍ଥାର ସେବାକୁ ଅନ୍ତର୍ଭୁକ୍ତ କରାଯିବ। ସାଧାରଣ ପ୍ରଶାସନକୁ କ୍ଷତି ପହଞ୍ଚାଉଥିବା ଇଲେକଟ୍ରୋନିକ୍ସ, ଏବଂ ସୂଚନା ଓ ଯୋଗାଯୋଗ ସରକାରୀ ସଂସ୍ଥାକୁ ଏଥିରେ ସାମିଲ କରାଯିବ।
ଏହି ଆଇନ ଅନୁସାରେ କୌଣସି ଧର୍ମଘଟ ବା ଆନ୍ଦୋଳନକୁ ଉସ୍‌କାଇବା ପାଇଁ ଅର୍ଥ ଯୋଗାଉଥିବା ବ୍ୟକ୍ତି ବି​‌େ​‌ଶଷଙ୍କୁ ଜୋରିମାନା କରାଯିବ। ଏଥିପାଇଁ ଜେଲ ଓ ୫ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିବ।
ଏହା ବ୍ୟତୀତ କ୍ୟାବିନେଟର ଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ଆଇନ ୧୯୮୦ରେ ସଂଶୋଧନ, ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଗତ ଝାରସୁଗୁଡ଼ାସ୍ଥିତ ଏଲ.ଏନ.କଲେଜ ଉପରେ ଥିବା ବକେୟା ଛାଡ଼ କରିବା, ବିଭାଗ ଅଧୀନରେ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୪.୫୬ ଏକର ଜମି ଓ ହଷ୍ଟେଲ କୋଠା ଏଲ.ଏନ କଲେଜକୁ ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଉଚ୍ଚତର ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପ୍ରଚଳନ ପାଇଁ ଭୁବନେଶ୍ବର ସିଭି ରମଣ କଲେଜ ଅଫ ଇଂଜିନିୟରିଂକୁ ସିଭି ରମଣ ଗ୍ଳୋବାଲ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଆଇନ ପ୍ରଣୟନ ପ୍ରସ୍ତାବକୁ ବୈଠକରେ ମଞ୍ଜୁରି ମିଳିଛି। ରାଜ୍ୟ ଯୋଜନା ଅନ୍ତର୍ଭୁକ୍ତ ବିଜୁ କୃଷକ କଲ୍ୟାଣ ଯୋଜନା(ବିକେକେୱାଇ)ର ସଂଶୋଧନ, ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା ନିୟମ ୨୦୧୯ ପ୍ରଚଳନ, କାଳିଆ ଯୋଜନାର ସଂଶୋଧନ, ଓଡ଼ିଶା ସାମଗ୍ରୀ ଓ ସେବା ଟିକସ ଆଇନ ୨୦୧୭ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମୋହର ବାଜିଛି।

Comments are closed.