ବୋଲେରୋ ଚଢ଼ାଇ ବ୍ୟବସାୟୀଙ୍କୁ ହତ୍ୟା

ନୟାଗଡ଼: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ନୟାଗଡ଼ ଜିଲା ନୂଆଗାଁ ଥାନା ଡିମିରିଝରି ଗ୍ରାମରେ ଜଣେ ବ୍ୟବସାୟୀଙ୍କୁ ବୋଲେରୋ ଚଢ଼ାଇ ହତ୍ୟା କରାଯାଇଛି। ମୃତକ ହେଲେ ଡ଼ିମିରିଝରୀ ଗ୍ରାମର ଜଗନ୍ନାଥ ପ୍ରଧାନ। ଏହି ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସେହି ଗ୍ରାମର ବ୍ରଜକିଶୋର ସାହୁକୁ ପୁଲିସ ଗିରଫ କରିବା ସହ ଗାଡ଼ି ଜବତ କରିଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ସୂଚନା ମୁତାବକ, ଡ଼ିମିରିଝରି ଛକରେ ଜଗନ୍ନାଥ ଏକ ଗ୍ୟାରେଜ କରିଥିଲେ। ପୂର୍ବରୁ ଏହି ଛକରେ ବ୍ରଜକିଶୋରଙ୍କର ଗୋଟିଏ ଗ୍ୟାରେଜ ରହିଥିଲା। ଜଗନ୍ନାଥ ଗ୍ୟାରେଜ କରିବା ପରେ ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ତିକ୍ତତା ଆରମ୍ଭ ହୋଇଥିଲା। ଏହାକୁ କେନ୍ଦ୍ରକରି ଉଭୟ ବ୍ୟବସାୟୀଙ୍କ ମଧ୍ୟରେ ବାଦବିବାଦ
ଲାଗିରହିଥିଲା। ଗତକାଲି ଉଭୟଙ୍କ ମଧ୍ୟରେ ବଚସା ଘଟିବାରୁ ପ୍ରତିପକ୍ଷ ପକ୍ଷରୁ ଜଗନ୍ନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା। କାଲିର ଘଟଣାକୁ କେନ୍ଦ୍ରକରି ଆଜି ଜଗନ୍ନାଥଙ୍କ ଉପରେ ଏକ ବୋଲେରୋ ଚଢ଼ାଇ ହତ୍ୟା କରାଯାଇଥିବାର ଅଭିଯୋଗ ତାଙ୍କ ପତ୍ନୀ ଜ୍ୟୋତିର୍ମୟୀ ଥାନାରେ ଅଭିଯୋଗ କରିଛନ୍ତି।
ଜଗନ୍ନାଥ କୌଣସି କାମରେ ଗାଁ ଭିତରକୁ ଯିବା ପାଇଁ ଘରୁ ବାହାରି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଯାଉଥିଲା ବେଳେ ଏହି ସମୟରେ ବ୍ରଜକିଶୋର ଦ୍ରୁତ ଗତିରେ ବୋଲେରୋ ଆଣି ଜଗନ୍ନାଥଙ୍କୁ ଚାପି ଦେଇଥିଲେ। ଫଳରେ ଜଗନ୍ନାଥଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଜାତୀୟ ରାଜପଥରେ ଜଗନ୍ନାଥଙ୍କ ଶବ ରଖି ଅବରୋଧ କରିଥିଲେ। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଏବଂ ପରିବାରକୁ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲୀପ ସାହାଣୀ ଏବଂ ଥାନା ଅଧିକାରୀ ମନୋରମା ମଲ୍ଲିକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଜିଲା ପ୍ରଶାସନ ତରଫରୁ ୨୦ ହଜାର ଟଙ୍କା କ୍ଷତିପୂରଣ ଯୋଗାଇ ଦେବା ସହ ହତ୍ୟା ମାମଲା ରୁଜୁ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ପରେ ପୁଲିସ ଜଗନ୍ନାଥଙ୍କ ମୃତଦେହକୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବେଚ୍ଛଦ ପାଇଁ ପଠାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ବ୍ରଜକିଶୋର ସାହୁକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବୋଲେରୋକୁ ଜବତ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed.