ବୁର୍ଲା ଭିମସାରରେ ଏଚଆଇଭି ରୋଗୀଙ୍କୁ ଅସ୍ତ୍ରୋପଚାର ପ୍ରସଙ୍ଗ : ଗଠନ ହେଲା ପାଞ୍ଚ ଜଣିଆଁ ଯାଞ୍ଚ କମିଟି

ବୁର୍ଲା : ବୁର୍ଲା ଭିମ୍‍ସାରରେ ଏଚ୍‍ଆଇଭି ସଂକ୍ରମିତ ଉପକରଣରେ ଅନ୍ୟରୋଗୀଙ୍କ ଅସ୍ତ୍ରୋପଚାର ଘଟଣାରେ ସ୍ୱାସ୍ଥ୍ୟ ସଚିବଙ୍କ ତରଫରୁ ରିପୋର୍ଟ ତଲବ କରାଯାଇଥିବା ବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପାଇଁ ଏକ ୫ ଜଣିଆଁ କମିଟି ଗଠନ କରାଯାଇଛି। ଏହା ଛାତି ଓ ସଂକ୍ରମଣ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭାତି ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଯାଇଛି। ଏହି ୫ଜଣିଆଁ ତଦାରଖ କମିଟିରେ ଭିମସାର ହସପିଟାଲର ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ, ମେଡ଼ିସିନ ବିଭାଗର ସହକାରୀ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ବେରିହା, ଡ଼ାକ୍ତର ମଳୟ ରଞ୍ଜନ ନାୟକ, ଏଫଏମଟି ବିଭାଗର ଡ଼ାକ୍ତର ସତ୍ୟ ସାଇ ପଣ୍ଡା ଏବଂ ପାଇକ୍ରୋବାୟୋଲୋଜି ବିଭାଗର ଡ଼ାକ୍ତର ଦିପାଙ୍କର ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ତେବେ ବୁଧବାର ଠାରୁ ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ କକ୍ଷରେ ଡ଼ାକ୍ତର ସ୍ୱାଇଁଙ୍କୁ ପଚରା ଉଚରା କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଖୁବଶୀଘ୍ର ତଦନ୍ତ କରି ରିପୋର୍ଟ ମେଡିକାଲ ଅଧିକ୍ଷକଙ୍କୁ ପ୍ରଦାନ କରିବେ ବୋଲି ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ ସୂଚନା ଦେଇଛନ୍ତି।
ବୁର୍ଲା ମେଡିକାଲରେ ଗତକାଲି ଏଚ୍‍ଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ତିନିଜଣଙ୍କୁ ଅସ୍ତ୍ରୋପଚାର କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଭିମସାରର ଦନ୍ତଶଲ୍ୟ ବିଭାଗରେ ଜଣେ ଏଚ୍‍ଆଇଭି ସଂକ୍ରମତି ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଅନେକ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ଜଣାପଡିବା ପରେ ଅସ୍ତ୍ରୋପଚାର କକ୍ଷକୁ ଜୀବାଣୁ ମୁକ୍ତ କରିବା ପାଇଁ(ଷ୍ଟେରଲାଇଜେସନ୍‍) ବନ୍ଦ ରଖାଯାଇଛି। ତେବେ ଅସ୍ତ୍ରୋପଚାର କକ୍ଷ ବନ୍ଦଥିବାରୁ ଅନେକ ରୋଗୀ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। ଅସ୍ତ୍ରୋପଚାର କରିଥିବା ଡା.ପ୍ରଶାନ୍ତ ସ୍ୱାଇଁ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଅନେକ ଏଚ୍‍ଆଇଭି ରୋଗୀଙ୍କ ଅସ୍ତ୍ରୋପଚାର କରାଯାଏ। ଏଭଳି ରୋଗୀଙ୍କ ଆସ୍ତ୍ରୋପଚାର ସମୟରେ ଯେଉଁ ସବୁ ନିୟମ ଅନୁକରଣ କରିବା କଥା ତାହା ମୁୁଁ କରିଛି। ତେବେ ଏଭଳି କୌଣସି ଘଟଣା ଘଟିନାହିଁ କିମ୍ବା ମୁଁ ସେହି ଏଚ୍‍ଆଇଭି ରୋଗୀଙ୍କୁ ଅସ୍ତ୍ରୋପଚାର କରିଥିବା ଯନ୍ତ୍ରପାତି ଅନ୍ୟ ଦୁଇଜଣ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ସମୟରେ ବ୍ୟବହାର କରିନାହିଁ। ଏହା କେବଳ ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର କରାଯାଇଛି ଏବଂ ଏହି ଷଡଯନ୍ତ୍ର ଆମ ବିଭାଗର ବିଭାଗୀୟ ମୁଖ୍ୟ ଡଃ ଅନୁପ ଶତପଥି କରିଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ଭାବରେ ସେ କହିଛନ୍ତି।
ପୂର୍ବରୁ ଡା ସ୍ୱାଇଁଙ୍କୁ ବିଭାଗ ମୁଖ୍ୟ ଡା ଅନୁପ ଶତପଥି ଚକ୍ରାନ୍ତ କରି ଏଠାରୁ ବଦଳି କରିବା ପାଇଁ ଚେଷ୍ଟା କରିଥିବା ଘଟଣା ଯେପରି ତାଙ୍କୁ ଗୌଡ଼ପାଲି ସ୍ୱାସ୍ଥ୍ୟକେନ୍ଦ୍ର କମ୍ୟୁନିଟି ମେଡ଼ିସିନ ବିଭାଗକୁ ପ୍ରେରିତ କରିଦିଆ ଯାଇଥିଲା ଡ଼ାକ୍ତର ସ୍ୱାଇଁର୍ଙ୍କ ପଦବୀ ମଧ୍ୟ ସେଠାରେ ନ ଥିଲା। ଏହା କେବଳ ତାଙ୍କପଦୋନ୍ନତିକୁ ଅଟକାଯିବା ଏବଂ ଅନ୍ୟ ଜଣେ ଡ଼ାକ୍ତରଙ୍କୁ ପଦୋନ୍ନତି ଦିଆଯିବା ପାଇଁ କରାଯାଇଥିବା ନେଇ ଡ଼ାକ୍ତର ସ୍ୱାଇଁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ତ ହୋଇ ନ୍ୟାୟ ମଧ୍ୟ ପାଇଥିଲେ। ଏପରିକି ଡା ଶତପଥି ବିଭାଗ ମୁଖ୍ୟ ହୋଇଥିବାରୁ ଡା ସ୍ୱାଇଁକୁ ପ୍ରତିଦିନ ବର୍ହିବିଭାଗରେ ବସିବା ପାଇଁ ଦେଉ ନ ଥିବା ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି। ଏପରିକି ବର୍ହିବିଭାଗରୁ ହିଁ ରୋଗୀମାନଙ୍କୁ ଘରୋଇ ମେଡ଼ିକାଲକୁ ପ୍ରେରିତ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ତେବେ କର୍ମକ୍ଷେତ୍ରରେ ଅନେକ ଡା ଶତପଥି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି। ତେବେ ଏହି ସମଗ୍ର ଘଟଣାରେ ଡା ଶତପଥି ତାଙ୍କୁ ଚକ୍ରାନ୍ତ କରି ଏଠାରୁ ପୁଣି ବଦଳି କରିବା ପାଇଁ ଚେଷ୍ଟା କରିଥିବା ସେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଜଣେ ଡାକ୍ତର କେବେ ମଧ୍ୟ ଗୋଟିଏ ଏଚ୍‍ଆଇଭି ରୋଗୀଙ୍କୁ ଅସ୍ତ୍ରୋପଚାର କରି ସେହି ଯନ୍ତ୍ରପାତିରେ ପୁଣି ସାଧାରଣ ରୋଗୀଙ୍କ ଅସ୍ତ୍ରୋପଚାର କରିବ ତାହା ଅସମ୍ଭବ ବୋଲି ଡ଼ାକ୍ତର ସ୍ୱାଇଁ ପ୍ରକାଶ କରିଛନ୍ତି। ସବୁଠାରୁ ବଡ କଥା ହେଲା ଡା ଅନୁପ ଶତପଥି ରୋଗୀମାନଙ୍କୁ ନିଜ ଘରୋଇ କ୍ଲିନିକକୁ ପଠାଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ମୁଁ ଏଠାରେ କାମ କରିବା ପରେ ଅନେକ ପରିବର୍ତ୍ତନ ଆଣିଥିବାରୁ ତାଙ୍କ କ୍ଲିନିକ ବ୍ୟବସାୟ ଉପରେ ବାଧାସୃଷ୍ଟି ହେଉଥିବାରୁ ସେ ମୋତେ ହଟାଇବା ପାଇଁ ଏଭଳି କରୁଥିବା କହିଛନ୍ତି। ଡା ସ୍ୱାଇଁ ସେ ଚିକିତ୍ସା ବା ଅସ୍ତ୍ରୋପ•ର କରିଥିବା ତିନି ଜଣ ରୋଗୀଙ୍କୁ ତିନିମାସ ପରେ ପରିକ୍ଷା କରାଯିବ ଏବଂ ସେମାନଙ୍କର ଦେହରେ କୌଣସି ଏଚ୍‍ଆଇଭି ସଂକ୍ରମଣ ବାହାରିବ ନାହିଁ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିିଛନ୍ତି। ଏହା ସହିତ ବୁର୍ଲା ଭିମସାରରେ ବିଗତ ବର୍ଷ ମାନଙ୍କରେ କେବଳ କାଁ ଭାଁ ଦାନ୍ତ ଓପାଡ଼ା ଯାଉଥିବା ବେଳେ ଅନ୍ୟାନ୍ୟ ସମସ୍ତ କେସକୁ ଘରୋଇ ମେଡ଼ିକାଲ ମାନଙ୍କୁ ପ୍ରେରିତ କରାଯାଉଥିବା ଅନେକ ମହଲ ତଥା ସାମାଜିକ ଗଣମାଧ୍ୟମରେ ଅଭିଯୋଗ ହୋଇ ଆସୁଥିଲା। ଯାହାକୁ କିଛିମାସ ହେବ ପ୍ରାୟତଃ ବନ୍ଦ ହୋଇଥିଲା। ସେପଟେ ଆଗକୁ ଏହି ଘଟଣା କି ମୋଡ଼ ନେବ ଏବଂ ତଦନ୍ତକାରୀ ଦଳର ରିପୋର୍ଟର ଫଳାଫଳ କଣ ହେବ ତାହା ଦେଖିବାକୁ ବାକି ରହିଲା। ଏହାକୁ ନେଇ ଭିମସାରର ବିଭାଗୀୟ ମୁଖ୍ୟ ପ୍ରଫେସର ଅନୁପ ଶତପଥି ଡ଼ାକ୍ତର ସ୍ୱାଇଁ ଲଗାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହିତ ତାଙ୍କର କାର୍ଯ୍ୟକଳାପକୁ ନେଇ ଗତ ୨୦୧୮ ମସିହାରେ ଶ୍ରୀ ସ୍ୱାଇଁଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତତ୍କାଳିନ ନିର୍ଦ୍ଦେଶକଙ୍କ ତରଫରୁ ଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ୧୪ ମାସ କାଳ ବିଭାଗରୁ ବାହାରେ ରଖାଯାଇଥିବା ପ୍ରଫେସର ଶତପଥି ପ୍ରକାଶ କରିଥିଲେ। ଏହି ମାମଲାରେ ପ୍ରଫେସର ଶତପଥି ସ୍ୱାଇଁଙ୍କ ଉପରେ ପାଲଟା ଅନେକ ଗୁରୁତର ଅଭିଯୋଗ ଆଣିଥିଲେ।

Comments are closed.