ଭୟଙ୍କର ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେଲା ‘ବୁଲ୍‍ବୁଲ୍‍’

- ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା - ପରିସ୍ଥିତିକୁ ଦୃଷ୍ଟିରେ ରଖି ୯ ଜିଲ୍ଲାରେ ଛୁଟି ଘୋଷଣା - ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ଭୟଙ୍କର ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇଛି।ଏହା ପାରାଦ୍ୱୀପଠାରୁ ୬୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟାପ୍ରତି ୨୭ କିଲୋମିଟର ବେଗରେ ଉତ୍ତର ଉତ୍ତର-ଦକ୍ଷିଣ ଆଡ଼କୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲିଠାରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିଭଳି ୯ ତାରିଖରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାପଡ଼ିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର ପ୍ରଭାବ ପରିଲକ୍ଷିତ ହେବାକୁ ଥିବାରୁ ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଆସନ୍ତା କାଲି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଜଗତସିଂପୁରରେ ପ୍ରବଳ ବର୍ଷ ସଂଭାବନା ରହିଥିବା ବେଳେ ୯ ତାରିଖରେ ସେହି ଜିଲ୍ଲାଗୁଡିକରେ ଅତି ପ୍ରବଳ ବର୍ଷ ସମ୍ଭାବନା ରହିଛି। ସେହି ଦିନ ମୟୁରଭଞ୍ଜ, କଟକ ଏବଂ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତ୍‍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ଆସନ୍ତା ୮ ଓ ୯ ତାରିଖ ଛୁଟି ଘୋଷଣା କରାଯାଇଥିବା ବେଳେ ଯାଜପୁର, କଟକ, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ଵର ଏବଂ ଖୋର୍ଦ୍ଧାରେ କେବଳ ୯ ତାରିଖ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୮ ଓ ୯ ତାରିଖ ଦୁଇ ଦିନ ଜିଲ୍ଲାର ସମସ୍ତ ସ୍କୁଲ୍‍, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଛୁଟି ରହିବ।

 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତ୍‍ସିଂହପୁର ଜିଲ୍ଲା ସମେତ ଉପକୂଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତଟବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାପାଇଁ ସତର୍କ କରି ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ସମୟରେ କଚ୍ଚାଘର, ବିଦ୍ୟୁତ୍‍ ଖୁଣ୍ଟି ଓ ଗଛ ଭାଙ୍ଗିବା ସହ ଫସଲର ମଧ୍ୟ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଓଡ୍ରାଫ୍‍ ଓ ଏନ୍‍ଡିଆର୍‍ଏଫ୍‍ ଟିମ୍‍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଶସ୍ୟ ଓ ଫସଲଗୁଡ଼ିକୁ ସୁରକ୍ଷିତ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Comments are closed.