ବୁଲନ୍ଦସହର ହିଂସା ମାମଲା ; ସନ୍ଦେହ ଘେରରେ ସନ୍ଦିଗ୍ଧ ଯବାନ

0

ବୁଲନ୍ଦସହର/ଲକ୍ଷ୍ନୌ : ବୁଲନ୍ଦସହର ହିଂସା ଘଟଣା ଉପରୁ କ୍ରମଶଃ ରହସ୍ୟ ହଟିବାରେ ଲାଗିଛି। ମୁସଲମାନଙ୍କ ସହ ସଂଘର୍ଷ ନିମନ୍ତେ ଉଦ୍ଦେଶ୍ୟମୂଳକ ଭାବେ ଏହି ହିଂସାକାଣ୍ଡ ଘଟାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରୁ ଉଦ୍ଧାର ଗୋ-ଦେହାବଶେଷ ୪୮ ଘଣ୍ଟା ପୁରୁଣା ହୋଇଥିବାରୁ ହିଂସା ଘଟାଇବା ଉଦ୍ଦେଶ୍ୟରେ ତାହାକୁ ଅଣାଯାଇଥିବା ଗୁଇନ୍ଦା ବିଭାଗ ଏଡିଜି ଏସ୍‍.ବି ଶିରୋଦକର ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହ ଏହି ଘଟଣାକୁ ସେ ଗୁଇନ୍ଦା ବିଭାଗର ବିଫଳତା ବୋଲି ମଧ୍ୟ ଦର୍ଶାଇଛନ୍ତି। ଶୁକ୍ରବାର ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରାଯାଇଛି। ଅନ୍ୟପଟେ ସଦ୍ୟ ପ୍ରସାରିତ ଦୁଇଟି ଭିଡିଓ ଜଣେ ସନ୍ଦିଗ୍ଧ ଯବାନ ଏବଂ ମୃତ ପୁଲିସ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସନ୍ଦିଗ୍ଧ ଯବାନଙ୍କ ସମ୍ବନ୍ଧରେ ପୁଲିସ ସୂଚନା ସଂଗ୍ରହ କରୁଛି। ଯବାନଙ୍କ ଗୁଳିରେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଡିସେମ୍ବର ୩ରେ ଘଟିଥିବା ଏହି ହିଂସା ଘଟଣା ସମ୍ବନ୍ଧୀୟ ଏକାଧିକ ଭିଡିଓରେ ସମ୍ପୃକ୍ତ ଯବାନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହି ଯବାନ ଶ୍ରୀନଗରରେ ମୁତୟନ ଜିତୁ ଫୌଜି ବୋଲି କୁହାଯାଉଛି; କିନ୍ତୁ ତାଙ୍କ ମା’ ରତନ କୌର ଭିଡିଓରେ ପୁଅକୁ ଚିହ୍ନଟ କରିପାରି ନାହାନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ସେ ଜିତୁ ବୋଲି ଏଯାବତ୍‍ କୌଣସି ପ୍ରମାଣ ମିଳି ନ ଥିବା ପୁଲିସ କହିଛି। ଏଣୁ ଜିତୁ ଫୌଜିଙ୍କ ସମ୍ବନ୍ଧରେ ସୂଚନା ହାସଲ ଲାଗି ଦୁଇଟି ପୁଲିସ ଦଳ ଇତିମଧ୍ୟରେ ଜାମ୍ମୁ-କାଶ୍ମୀର ପଠାଯାଇଛି। ଜିତୁଙ୍କର ଜଣେ ସମ୍ପର୍କୀୟା କହିଛନ୍ତି, ହିଂସାକାଣ୍ଡବେଳେ ଜିତୁ ବୁଲନ୍ଦସହରରେ ଉପସ୍ଥିତ ଥିଲେ; ପରେ ସେ କାରଗିଲ ଚାଲିଯାଇଥିଲେ। ‘ଏବେ ନାଟକ ଦେଖ’ ବୋଲି ଜିତୁ ଯିବା ପୂର୍ବରୁ କହି ଯାଇଥିବା ସମ୍ପୃକ୍ତ ମହିଳା କହିଛନ୍ତି।
ଅନ୍ୟତମ ଅଭିଯୁକ୍ତ ତଥା ବିଜେପି ନେତା ଶିଖର ଅଗ୍ରୱାଲ ଏହି ହିଂସାକାଣ୍ଡ ପାଇଁ ମୃତ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କୁ ଦାୟୀ କରିଛନ୍ତି। ସେ ଏବଂ ତାଙ୍କର କିଛି ସମର୍ଥକ ଚିଙ୍ଗ୍ରାୱାଡି ଥାନାରେ ଗୋହତ୍ୟା ଅଭିଯୋଗରେ ଏତଲା ରୁଜୁ କରିବା ନିମନ୍ତେ ଗୋ-ଦେହାବଶେଷର କିଛି ଅଂଶ ସାଥିରେ ନେଇ ଯିବାକୁ ଚାହୁଁଥିଲେ; ମାତ୍ର ସୁବୋଧ ସେମାନଙ୍କୁ ବାଧା ଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ତାହା ହିଂସାର ରୂପ ନେଇଥିଲା ବୋଲି ବିଜେପିର ସାୟାନା ଯୁବ ଶାଖା ସଭାପତି ଅଗ୍ରୱାଲ କହିଛନ୍ତି। ଏପରିକି ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ସୁବୋଧ ହତ୍ୟା ଧମକ ଦେଇଥିଲେ। ଏ ସମ୍ବନ୍ଧରେ ସେ ଅତିରିକ୍ତ ପୁଲିସ ମହାନିର୍ଦେଶକ ଅବିନାଶ ଚନ୍ଦ୍ର ମୌର୍ଯ୍ୟଙ୍କୁ ସୂଚନା ଦେଇଛନ୍ତି। ସୁବୋଧ ଦୁର୍ନୀତିଗ୍ରସ୍ତ ଓ ସେ ଗୋହତ୍ୟା ଜାରି ରଖିବା ନେଇ ମୁସଲମାନଙ୍କୁ ସମର୍ଥନ କରୁଥିଲେ ବୋଲି ଆଗ୍ରୱାଲ ଅଭିଯୋଗ କରିଛନ୍ତି। ସାୟାନା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗୋହତ୍ୟା କରାଯାଉଥିବା ସେ ସ୍ୱଚକ୍ଷୁରେ ଦେଖିଛନ୍ତି ବୋଲି ବଜରଙ୍ଗ ଦଳ ଜିଲା ମୁଖ୍ୟ ତଥା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ ଥାନାରେ ଅଭିଯୋଗ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ବୁଲନ୍ଦସହର ହିଂସା ପଛରେ ବୃହତ୍‍ ଷଡ଼ଯନ୍ତ୍ର ନିହିତ ବୋଲି ଗୁରୁବାର ରାଜ୍ୟ ପୁଲିସ ମହାନିର୍ଦେଶକ କହିଥିଲେ। ଡିସେମ୍ବର ୩ରେ ବୁଲନ୍ଦସହର-ଗଡ଼ମୁକ୍ତେଶ୍ୱର ରାଜ୍ୟ ରାଜପଥ ଦେଇ ଅତିକ୍ରମ କରିଥିବା ମୁସଲମାନଙ୍କ ଶୋଭାଯାତ୍ରାରେ ବିଘ୍ନ ଘଟାଇବା ଉଦ୍ଦେଶ୍ୟରେ ଏହି ହିଂସା ସୃଷ୍ଟି କରାଯାଇଥିଲା। ପୁଲିସ ଅଧିକାରୀଙ୍କ ହତ୍ୟାକାରୀଙ୍କୁ ଧରିବା ପରିବର୍ତ୍ତେ ଗୋହତ୍ୟାକାରୀଙ୍କୁ ଗିରଫ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ଉତ୍ତରପ୍ରଦେଶ ସରକାର ଏବଂ ପୁଲିସ ମୁଖ୍ୟ କହିଛନ୍ତି। ପୁଲିସ ଇତିମଧ୍ୟରେ ଗୋହତ୍ୟା ଅଭିଯୋଗରେ ୪ ଜଣ ମୁସଲମାନଙ୍କୁ ଗିରଫ କରିଛି।

Leave A Reply