ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ବୁଲ୍‌ବୁଲ୍’ : ଉଜାଡ଼ିଲା ଉତ୍ତର-ପୂର୍ବ ଉପକୂଳ

-ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି
-ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ, କେନ୍ଦ୍ରାପଡ଼ାରେ ୨ଜଣଙ୍କ ମୃତ୍ୟୁ ସୂଚନା

ଭୁବନେଶ୍ୱର  : ‘ବଙ୍ଗୋପସାଗରରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ଧାରଣ କରିଥିବା ‘ବୁଲ୍‌ବୁଲ୍‌’ ଦୀର୍ଘ ୬ଦିନ ଧରି ସମୁଦ୍ରରେ ବୁଲିବା ପରେ ଶେଷରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟବର୍ତ୍ତୀ ଡେଲ୍‌ଟା(ତ୍ରିକୋଣୀୟ ଭୂମି) ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁଛି। ଶନିବାର ରାତି ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଭୂଭାଗ ସ୍ପର୍ଶ କରିବା ପରେ ଦୀର୍ଘ ତିନି ଘଣ୍ଟା ଧରି ତାଣ୍ଡବ ରଚାଇଥିଲା। ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟବର୍ତ୍ତୀ ସୁନ୍ଦରବନ ଭୂଖଣ୍ଡକୁ ମାଡ଼ିଆସିବା ସମୟରେ ‘ବୁଲ୍‌ବୁଲ୍‌’ ବହୁ କ୍ଷୟକ୍ଷତି ଘଟାଇଥିବା ଖବର ମିଳିଛି। ସମୁଦ୍ରରେ ଦୀର୍ଘ ସମୟ ରହିବା ପରେ କ୍ରମଶଃ ଦୁର୍ବଳ ହୋଇ ସ୍ଥଳଭାଗକୁ ମାଡ଼ିଆସିଥିଲେ ହେଁ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିମି. ଥିଲା। ତେବେ ସୁନ୍ଦରବନ ଅତିକ୍ରମ କରିବା ସମୟରେ ବାତ୍ୟାର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ ଏବଂ ବେଳେବେଳେ ୧୩୫କିମି. ଅତିକ୍ରମ କରିଥିଲା।
ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଭୀଷଣ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଉତ୍ତରପୂର୍ବ ଦିଗରେ ଘଣ୍ଟା ପ୍ରତି ୧୨କିମି ବେଗରେ ଆଗେଇଥିଲା। ବାତ୍ୟାର କେନ୍ଦ୍ରସ୍ଥଳ ବା ‘ଆଖି’ ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ସ୍ଥଳଭାଗକୁ ମୁହାଁଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମ୍ପୂର୍ଣ୍ଣ ସ୍ଥଳଭାଗକୁ ସ୍ପର୍ଶ କରିବା ପାଇଁ ପ୍ରାୟ ପ୍ରାୟ ଅଢ଼େଇ ଘଣ୍ଟା ସମୟ ଲାଗିଥିଲା। ଏହି ସମୟରେ ପ୍ରବଳ ବେଗର ପବନ ବହିବା ସହିତ ଅତି ପ୍ରବଳ ବର୍ଷା ହୋଇଥିଲା। ବାତ୍ୟା ସ୍ଥଳଭାଗକୁ ଆସିବା ପରେ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ବୁଲେଟିନ୍‌ରେ କୁହାଯାଇଛି। ଏଥିସହିତ ପୂର୍ବ ଓ ପଶ୍ଚିମ ମେଦିନାପୁର ଅଞ୍ଚଳରେ ୬ରୁ ୮ଘଣ୍ଟା ଧରି ଭୀଷଣ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ଶନିବାର ସକାଳୁ ବାତ୍ୟା ଓଡ଼ିଶା ଉପକୂଳ ଦେଇ ପାରାଦ୍ବୀପଠାରୁ ପ୍ରାୟ ୧୦୦ କିମି ଦେଇ ଅତିକ୍ରମ କରିବା ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାର ସମୁଦ୍ର ପାର୍ଶ୍ବବର୍ତ୍ତୀ ଜିଲାରେ ନାହିଁ ନ ଥିବା କ୍ଷତି ଘଟାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ସମେତ ଯାଜପୁରର କିଛି ଅଞ୍ଚଳ ବର୍ଷା ଓ ପବନରେ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଅଭିମୁଖେ ମୁହଁାଇବା ସମୟରେ ଆଜି ସନ୍ଧ୍ୟା ପରଠାରୁ ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରାୟ ୬୦କିମି. ବେଗରେ ପବନ ବହିବା ସହିତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଖବର ମିଳିଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଥିବାବେଳେ କେନ୍ଦ୍ରାପଡ଼ା ଜିଲାରେ କାନ୍ଥପଡ଼ି ଏବଂ ଆଜ୍‌ବେଷ୍ଟସ ପଡ଼ି ୨ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପୂର୍ବ-ଉତ୍ତର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ପାରାଦ୍ବୀପରେ ସର୍ବାଧିକ ୨୦୬ ମିମି. ବର୍ଷା ହୋଇଥିବାବେଳେ ରାଜନଗରରେ ୧୯୦ ମିମି. ଏବଂ ଚାନ୍ଦବାଲିରେ ୧୭୯ମିମି. ବର୍ଷାର ରେକର୍ଡ଼ କରାଯାଇଛି।

Comments are closed.